ଓଡିଶା

odisha

By ETV Bharat Odisha Team

Published : Jan 5, 2024, 10:16 PM IST

ETV Bharat / state

ରାଜ୍ୟରେ ୩.୩୨ କୋଟି ଭୋଟର: ୭.୫୪ ଲକ୍ଷ ଯୁବ, ବଢ଼ିଲା ମହିଳାଙ୍କ ଅନୁପାତ

Final voter list: ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ବଢ଼ିଲା ମହିଳା ଭୋଟରଙ୍କ ଅନୁପାତ । ଅଧିକ ପଢ଼ନ୍ତୁ

ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା
ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା

ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ବର: ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା-୨୦୨୪ ଆଜି ପ୍ରକାଶ ପାଇଛି । ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ । ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ । ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ ମହିଳା ଭୋଟର ଅଛନ୍ତି । ଯୁବ ଭୋଟର ଯାହାଙ୍କ ବୟସ ୧୮-୧୯ ବର୍ଷଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ । ଏହା ସହିତ ରାଜ୍ୟରେ ମହିଳା ଓ ପୁରୁଷ ଭୋଟରଙ୍କ ମଧ୍ୟରେ ଲିଙ୍ଗଗତ ଅନୁପାତରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ହୋଇଛି । ପ୍ରତି ଏକ ହଜାର ପୁରୁଷ ଭୋଟରଙ୍କ ମଧ୍ୟରେ ୯୭୨ ଜଣ ମହିଳା ଭୋଟର ଅଛନ୍ତି । ଯାହାକି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରତି ଏକହଜାର ପୁରୁଷରେ ୯୪୬ ଥିଲା । ୨୦୨୩ ଚିଠା ଭୋଟର ତାଲିକାରେ ୯୬୩ ଥିଲା ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏନେଇ ସୂଚନା ଦେଇ କହିଛନ୍ତି, "ରାଜ୍ୟରେ ୨୦୨୩ ଅକ୍ଟୋବର ୨୭ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା । ଏହି ଭୋଟର ତାଲିକାରେ ସଂଶୋଧନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯାଇଥିଲା । ଏବେ ସଂଶୋଧିତ ଭୋଟର ତାଲିକାରେ ଏହି ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ରୁ ବୃଦ୍ଧି ପାଇ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ହୋଇଛି । ସଂଶୋଧିତ ଭୋଟର ତାଲିକାରେ ପୁରୁଷ ଭୋଟରଙ୍କ ସଂଖ୍ୟାରେ ପ୍ରାୟ ୨.୨୦ ଲକ୍ଷ ବୃଦ୍ଧି ହୋଇଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟାରେ ପ୍ରାୟ ୩.୬୨ ଲକ୍ଷ ବୃଦ୍ଧି ହୋଇଛି । ତେବେ ତୃତୀୟ ଲିଙ୍ଗି ବା କିନ୍ନର ଭୋଟରଙ୍କ ସଂଖ୍ୟା ୩୪୦୬ରୁ ୩୩୮୦କୁ ହ୍ରାସ ପାଇଛି । ୨୦୨୩ ଚିଠା ଭୋଟର ତାଲିକାରେ ଯୁବ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୮୪ ହଜାର ୧୪୮ ଥିବାବେଳେ ଏବେ ଚୂଡ଼ାନ୍ତ ତାଲିକାରେ ଏହା ୭ ଲକ୍ଷ ୫୪ ହଜାର ୯୪୬କୁ ବୃଦ୍ଧି ପାଇଛି । ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ମଧ୍ୟ ୪.୬୫ ଲକ୍ଷରୁ ୪.୫୭ ଲକ୍ଷକୁ ହ୍ରାସ ପାଇଛି । ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ୭.୮୭ ଲକ୍ଷରୁ ୬.୮୫ ଲକ୍ଷକୁ ହ୍ରାସ ପାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଆଜି ଆସିବ ଚୂଡ଼ାନ୍ତ ଭୋଟର ତାଲିକା, CEO ଦେଲେ ସୂଚନା

ସେ ଆହୁରି ମଧ୍ୟ କହିଛନ୍ତି, "ଚଳିତ ଭୋଟର ତାଲିକା ସଂଶୋଧନବେଳେ ଯୁବ ଭୋଟର ଓ ମହିଳା ଭୋଟର ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଥିଲା । ଏହା ସଫଳ ହୋଇଛି । ଚଳିତ ସଂଶୋଧନରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ନୂଆ ଭୋଟର ଯୋଡ଼ି ହୋଇଛନ୍ତି । ସେଥିରେ ୧୮-୧୯ବର୍ଷ ବୟସର ୪ ଲକ୍ଷ ୭୬ ହଜାର ୯୬୯ ଜଣ ଭୋଟଙ୍କୁ ସାମିଲ କରାଯାଇଛି । ଅନ୍ୟପକ୍ଷରେ ଏହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ମୋଟ ୭ ଲକ୍ଷ ୧୬ ହଜାର ୮୦୭ ଜଣ ଭୋଟରଙ୍କୁ ବାଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୩.୭୫ ଲକ୍ଷ ମୃତ, ୨.୭୧ ଲକ୍ଷ ସ୍ଥାୟୀ ଭାବେ ସ୍ଥାନାନ୍ତର ଓ ୬୫,୮୫୮ ଜଣ ଭୋଟରଙ୍କର ଏକାଧିକ ସ୍ଥାନରେ ତାଲିକାରେ ନାଁ ଥିବାରୁ ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଛି । ଏହା ସହିତ ମୋଟ ୪ ଲକ୍ଷ ୨୨ ହଜାର ୬୩୮ ଜଣ ଭୋଟର ତାଲିକାରେ ନିଜର ସଂଶୋଧନ କରାଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ୨୦୧୯ ଚୂଡ଼ାନ୍ତ ଭୋଟର ତାଲିକାରେ ପ୍ରତି ଏକହଜାର ପୁରୁଷ ଭୋଟର ଅନୁପାତରେ ମାତ୍ର ୯୪୬ ଜଣ ମହିଳା ଭୋଟର ଥିବାବେଳେ ଏହି ଅନୁପାତ କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ହଜାରେ ପୁରୁଷ ଭୋଟରରେ ୨୦୨୦ରେ ୯୫୪, ୨୦୨୧ରେ ୯୫୮, ୨୦୨୨ରେ ୯୬୪, ୨୦୨୩ରେ ୯୬୧ ଓ ୨୦୨୪ରେ ଏହା ୯୭୨କୁ ବୃଦ୍ଧି ପାଇଛି ।"

ସେହିପରି ୨୦୨୪ ଚୂଡ଼ାନ୍ତ ଭୋଟର ତାଲିକାରେ ୧୮-୧୯ ବର୍ଷ ବୟସର ଯୁବ ଭୋଟରଙ୍କ ସଂଖ୍ୟା ମୋଟ ୭ ଲକ୍ଷ ୫୪ ହଜାର ୯୪୬ ରହିଛି । ୨୦୧୯ରେ ଯୁବ ଭୋଟରଙ୍କ ସଂଖ୍ୟା ୫.୪୫ ଲକ୍ଷ ଥିବାବେଳେ ୨୦୨୦ରେ ୫.୪୨ ଲକ୍ଷ, ୨୦୨୧ରେ ୪.୧୦ ଲକ୍ଷ, ୨୦୨୨ରେ ୫.୨୩ ଲକ୍ଷ ଓ ୨୦୨୩ରେ ୪.୪୫ ଲକ୍ଷ ଥିଲା । ମାତ୍ର ୨୦୨୪ ସଂଶୋଧିତ ଭୋଟର ତାଲିକାରେ ଏହି ଯୁବ ଭୋଟର ଯାହାଙ୍କ ବୟସ ୧୮-୧୯ ବର୍ଷଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ ରହିଛି । ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ଯେଉଁ ଯୋଗ୍ୟ ନାଗରିକ ଚାହିଁବେ ଭୋଟର ତାଲିକାରେ ନିଜର ନାମ ଯୋଡ଼ି ପାରିବେ । ଏହା ଏକ ନିରନ୍ତର ପ୍ରକ୍ରିୟା । ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବାର ପୂର୍ବଦିନ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ସଂଯୋଗ କରିହେବ । ମାତ୍ର ଏହି ପ୍ରକ୍ରିୟା ୭ରୁ ୧୦ଦିନ ସମୟ ଲାଗିଥାଏ । ଯିଏବି ବାଦ ପଡ଼ିଥିବେ ସେମାନେ ଚାହିଁଲେ ଭୋଟର ତାଲିକାରେ ନାମ ଯୋଡ଼ି ପାରିବେ । ଏହି ଚୂଡ଼ାନ୍ତ ଭୋଟର ତାଲିକା ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଡକାଇ ଅବଗତ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଏନ୍‌ ଥିରୁମାଲା ନାୟକ ଏବଂ ମିହିର ପ୍ରସାଦ ମହାନ୍ତି, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଓ ସମୀର କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details