ଓଡିଶା

odisha

ETV Bharat / state

ଗୋଷ୍ଠୀ ନେତୃତ୍ୱ ଭିତ୍ତିକ କାର୍ଯ୍ୟକ୍ରମ ହିଁ ଦୂର କରିବ ଅପପୁଷ୍ଟି: ରାଜ୍ୟ ମିଶନ ନିର୍ଦ୍ଦେଶକ - ଭୁବନେଶ୍ବର ନ୍ୟୁଜ

ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ଅନ୍ତର୍ଜାତୀୟ ସ୍ତରୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ । ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବା ଉଦ୍ଦେଶ୍ୟରେ ଅଛନ୍ତି ରାଜ୍ୟ ସରକାର । ଅପପୁଷ୍ଟି ମୁକ୍ତ ଓଡିଶା ଗଠନ ପାଇଁ ଆବଶ୍ୟକୀୟ ପ୍ରଗତିଶୀଳ ନୀତି ଓ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରାଯାଇଛି ।

କର୍ମଶାଳା

By

Published : Oct 18, 2019, 11:06 PM IST

Updated : Oct 19, 2019, 12:02 AM IST

ଭୁବନେଶ୍ବର: ପୁଷ୍ଟି ସମ୍ବେଦନଶୀଳ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରି ପୁଷ୍ଟି ଓ ସ୍ବାସ୍ଥ୍ୟ ସହିତ ଚାଷବାସର ସଂଯୋଗ ପ୍ରତିଷ୍ଠା କରି ଏକ ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବା ଉଦ୍ଦେଶ୍ୟରେ ଅଛନ୍ତି ରାଜ୍ୟ ସରକାର । ଏନେଇ ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।

ଅପପୁଷ୍ଟି ମୁକ୍ତ ଓଡିଶା ଗଠନ କରିବା ଉଦ୍ଦେଶ୍ୟରେ ଦିନିକିଆ କର୍ମଶାଳା

ଏହି କର୍ମଶାଳାରେ ଅପପୁଷ୍ଟି ମୁକ୍ତ ଓଡିଶା ଗଠନ ପାଇଁ ଆବଶ୍ୟକୀୟ ପ୍ରଗତିଶୀଳ ନୀତି ଓ ବ୍ୟବସ୍ଥା ଆଦି ବିଷୟରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାରଙ୍କ ଅନେକ ଉଚ୍ଚପଦସ୍ଥ ଅଧିକାରୀ ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ପୁଷ୍ଟି ସୁରକ୍ଷା ନିମନ୍ତେ ଚାଷବାସ ଓ ଜଙ୍ଗଲର ଗୁରୁତ୍ବପୂର୍ଣ୍ଣ ଭୂମିକା ଅଛି ଓ ଏଥିସହିତ ମହିଳା ସଶକ୍ତୀକରଣ ଦ୍ବାରା ବି ପୁଷ୍ଟି ସୁରକ୍ଷା କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଥାଏ ବୋଲି କର୍ମଶାଳାରେ ଆଲୋଚନା କରାଯାଇଥିଲା ।

ଏଥିସହ ବାଂଲାଦେଶ ଓ ଫିଲିପାଇନ୍ସ ସରକାରଙ୍କ ଅପପୁଷ୍ଟି ବିରୋଧୀ ଲଢେଇ ଓ ସଫଳତାର ଅଭିଜ୍ଞତାକୁ କର୍ମଶାଳାରେ ଯୋଗ ଦେଇଥିବା ଉଭୟ ଦେଶର ବରିଷ୍ଠ ସରକାରୀ ଅଧିକାରୀମାନେ ପ୍ରକାଶ କରିଥିଲେ । 'ସୌହାର୍ଦ୍ଦୋ’ କାର୍ଯ୍ୟକ୍ରମ ମାଧ୍ୟମରେ ବାଂଲାଦେଶ ସରକାର କିପରି ଲିଙ୍ଗଗତ ନିର୍ବିଶେଷରେ ଖାଦ୍ୟ ଓ ପୁଷ୍ଟିର ସୁରକ୍ଷା ହାସଲ କରିପାରିଛନ୍ତି ସେ ବିଷୟରେ ବାଂଲାଦେଶ ସରକାରଙ୍କ ପ୍ରତିନିଧି ପ୍ରକାଶ କରିଥିଲେ ।

ଏ.ପି.ପି.ଆଇ. (ଅଜିମ୍ ପ୍ରେମ୍‌ଜୀ ଫିଲାନ୍ଥ୍ରୋପିକ୍ ଇନିସିଏଟିଭ୍) ସହାୟତାରେ ‘ଲିଭିଙ୍ଗ୍ ଫାର୍ମସ୍’ ସ୍ବଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ମହିଳା ମାନଙ୍କର ଖାଦ୍ୟ ବିବିଧତା ବୃଦ୍ଧି କରି ଅପପୁଷ୍ଟି ଦୂର କରିବା ନିମନ୍ତେ ୨୦୧୬ରେ ‘ଫାର୍ମ’ (ଫୁଡ଼୍ ଆଣ୍ଡ ଏଗ୍ରୋ-ଇକୋଲୋଜିକାଲ ଆପ୍ରୋଚେସ୍ ଟୁ ରିଡ୍ୟୁସ୍ ମାଲ୍ନ୍ୟୁଟ୍ରିସନ୍) ନାମକ ଯେଉଁ ତିନି ବର୍ଷୀୟା କାର୍ଯ୍ୟକ୍ରମ ଚାଲିଥିଲା ତାହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ଏହି କର୍ମଶାଳାଟି ଆୟୋଜନ କରାଯାଇଥିଲା । ସନ୍ତୁଳିତ ଆହାର ଖାଇବା ଓ ଖାଦ୍ୟ ବିବିଧତାକୁ ବୃଦ୍ଧି କରିବା ପାଇଁ ଓଡିଶାର ୨ଟି ଜିଲ୍ଲାର ଏକ ଲକ୍ଷ ଆଦିବାସୀ ଓ ଦଳିତ ପରିବାରଙ୍କ ସହିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ଗୋଟେ ଆନ୍ତର୍ଜାତୀୟ ଅନୁଷ୍ଠାନ ଏହି ପ୍ରକଳ୍ପର ଫଳାଫଳ ଓ ପ୍ରଭାବ ଅଧ୍ୟୟନ କରି ରିପୋର୍ଟ ଦେଇଛନ୍ତି ଯେ, ପ୍ରକଳ୍ପ ଯୋଗୁ ମା’ ଓ ଶିଶୁ ମାନଙ୍କର ଖାଦ୍ୟ ବିବିଧତାରେ ବହୁତ ଭଲ ଅଭିବୃଦ୍ଧି ହୋଇଛି ।

ଏହି ଅଧ୍ୟୟନ ରିପୋର୍ଟ ଆଜି କର୍ମଶାଳାରେ ଓଡିଶା ସରକାରଙ୍କ ଅଧିକାରୀ ମାନଙ୍କ ସହିତ ଆଲୋଚନା କରାଗଲା । ପରବର୍ତ୍ତୀ ପଦେକ୍ଷେପ ସ୍ବରୂପ ଏହି କାର୍ଯ୍ୟକ୍ରମକୁ ଏ.ପି.ପି.ଆଇ ସହାୟତାରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ‘ଓଡିଶା ଜୀବିକା ମିଶନ’ ନେତୃତ୍ବରେ ରାଜ୍ୟର ୧୦୭ ବ୍ଲକ୍‌ରେ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ‘ମୋ ଉପକାରୀ ବଗିଚା’ ନାମରେ ନାମିତ କରାଯାଇଛି । ଏହି କର୍ମଶାଳାରେ ‘ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରାଗଲା ।


ଚଳିତ ଖରିଫ୍ ଋତୁରେ ଏହି କାର୍ଯ୍ୟକ୍ରମ ସଫଳତାର ସହିତ ୧୫ଟି ଜିଲ୍ଲାରେ କାର୍ଯ୍ୟାନ୍ବୟନ ହୋଇଛି ଓ ଏହି ଜିଲ୍ଲା ମାନଙ୍କରେ ସ୍ବୟଂ ସହାୟକ ଦଳର ସଦସ୍ୟ ମାନେ ନିଜ ବାଡିରେ ବଗିଚା କରି ନିଜ ଖାଦ୍ୟ ବିବିଧତାକୁ ବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ଏହି ଅବସରରେ ଯେଉଁ ଜିଲ୍ଲା ମାନେ 'ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟାନ୍ବୟନ କରିଛନ୍ତି, ସେମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଓଡିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Oct 19, 2019, 12:02 AM IST

ABOUT THE AUTHOR

...view details