ଭୁବନେଶ୍ବର: "ସାର୍ ୧୪ ନମ୍ବର ମୃତଦେହଟି ମୋ ପୁଅର । ତିନି ଦିନ ଧରି ପୁଅର ମୃତଦେହ ଖୋଜି ଖୋଜି ନୟାନ୍ତ ହେଲିଣି । ଶେଷରେ ଜାଣିବାକୁ ପାଇଁ ତାକୁ ଅନ୍ୟ କେହି ନେଇ ଯାଇଛନ୍ତି । ନିତି ହସ୍ପିଟାଲରୁ ହସ୍ପିଟାଲକୁ ଧାଉଁଛି । ହେଲେ ସେଠାରେ କହିଲେ ମୃତଦେହକୁ ବିହାରର ଜଣେ ପରିବାର ନେଇ ଯାଇଛନ୍ତି ବୋଲି । ଏବେ ମୁଁ କଣ କରିବି । କେମିିତି ପୁଅର ମୃତଦେହ ଫେରି ପାଇବି ।" ହାତରେ ଦୁଇଟି ଫଟୋ ଧରି ସଭିଙ୍କୁ ଦେଖାଉଛନ୍ତି ଏବଂ କୋହଭରା କଣ୍ଠରେ କିଛି ଏପରି କହୁଛନ୍ତି ପଶ୍ଚମବଙ୍ଗର ଶିବକାନ୍ତ ରାୟ ।
ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନିଜ ପୁଅର ମୃତଦେହ ଖୋଜିବା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ହେଉଛନ୍ତି ଶିବକାନ୍ତ । ତାଙ୍କ କହିବା କଥା, ପୁଅ ସେଦିନ କାମ କରିବାକୁ ବାହାର ରାଜ୍ୟକୁ ଯାଉଥିଲା । ଏଥିପାଇଁ ସେ ହାୱଡାରୁ କରମଣ୍ଡଳରେ ବସିଥିଲେ । ଏହାପରେ ଟ୍ରେନ ଦୁର୍ଘଟଣା ଘଟିବା ନେଇ ଖବର ପାଇଲେ । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଲେ । ଏହାପରେ ପୁଅର ମୃତଦେହ ନେବାକୁ ସଙ୍ଗେସଙ୍ଗେ ପଶ୍ଚିମବଙ୍ଗରୁ ଓଡ଼ିଶା ଆସିଥିଲେ । ପ୍ରଥମେ ଭାଇ ସହ ବାଲେଶ୍ବର ଆସିଲେ । ହେଲେ ସେଠାରେ ଦୁଇ ଦିନ ଖୋଜିବା ପରେ ପୁଅର ମୃତଦେହ ପାଇଲେ ନାହିଁ । ଏବେ ସେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ସେଠାରେ ପୁଅର ତ ଖବର ମିଳିଲା । ହେଲେ ମୃତଦେହ ନେବାକୁ ପୋଷ୍ଟମର୍ଟମ ଓ୍ବାର୍ଡ ପହଞ୍ଚିବା ବେଳକୁ ପୂର୍ବରୁ କେହି ମୃତଦେହ ନେଇସାରିଥିବା ଜାଣିବାକୁ ପାଇଲେ ।