ଖୋର୍ଦ୍ଧା: ଶ୍ରାବଣ ମାସ ଅମାବାସ୍ୟାଟି ଚିତାଲାଗି ଅମାବାସ୍ୟା ନାମରେ ପ୍ରସିଦ୍ଧ । ଏହା ଏକ କୃଷି ଭିତ୍ତିକ ପର୍ବ । ଏହି ଅମାବାସ୍ୟାରେ ପ୍ରତ୍ୟେକ ଓଡ଼ିଆ ଘରେ କବାଟକୁ ସୁନ୍ଦର ଭାବେ ଲିପାପୋଛା କରି ଖଡିଚିତା ଦିଆ ଯାଇଥାଏ । ବିରି , ନଡିଆ, ଚାଉଳ, ଗୁଡ଼ରେ ମହିଳାମାନେ ଚିତଉ ପିଠା ପ୍ରସ୍ତୁତ କରନ୍ତି । ଘିଅ ପଲମରେ ପ୍ରସ୍ତୁତ ଚିତଉ ପିଠାକୁ ଗରମ କ୍ଷୀରରେ ଭିଜାଇ ନରମ କରାଯାଏ କୃଷକମାନେ କ୍ଷେତରେ ଅର୍ଘ୍ୟଦାନ କରି ଚିତଉ ପିଠା ପୂଜା କରନ୍ତି । ପୂଜା ପରେ ପିଠାକୁ କ୍ଷେତରେ ପୋତି ଦିଆଯାଏ ।
ବିଶ୍ଵାସ ରହିଛି, ଏହି ଅମାବାସ୍ୟାରେ କ୍ଷେତରେ ଚିତଉ ପୋତିଲେ ଭଲ ଫସଲ ହୋଇଥାଏ । ତେଣୁ ଏହାକୁ ଚିତାଲାଗି ଅମାବାସ୍ୟା ବୋଲି କୁହାଯାଏ । ଚାଷୀ ବିଲରେ ପାଣି କାଦୁଅରେ କାମ କରୁଥିବା ବେଳେ ପାଦକୁ ଗେଣ୍ଡା କାଟି ଦେବାର ଭୟ ଥାଏ । ଗେଣ୍ଡା ଯାହାର ପାଦକୁ କାଟି ଦିଏ, ସେଠାରେ ଗଭୀର କ୍ଷତ ସୃଷ୍ଟି ହୋଇଥାଏ । ଫଳରେ ଯାହାଙ୍କ ପାଦ ଗେଣ୍ଡା କାଟିଥାଏ ସେ ଦୀର୍ଘ ଦିନ ପର୍ଯ୍ୟନ୍ତ କାମ କରି ପାରନ୍ତି ନାହିଁ । ଚାଷ କାମ ସମୟରେ ଚାଷୀ ଘରେ ବସିଲେ ଚାଷବାସ ଉଜୁଡି ଯିବାର ଭୟ ଥାଏ । ତେଣୁ କ୍ଷେତରେ କ୍ଷୀର, ପିଠାକୁ ପକାଯାଏ । ଏହା ପଛରେ ଏକ ବିଜ୍ଞାନ ଭିତ୍ତିକ କାରଣ ମଧ୍ୟ ରହିଛି । ଘିଅ ଓ କ୍ଷୀରର ଗନ୍ଧରେ ଗେଣ୍ଡା ଦୂରକୁ ଚାଲିଯାଏ । ଚିତଉ ପିଠା କ୍ଷେତରେ ପକାଇବା ଫଳରେ ଗଣ୍ଡା ମାନେ ବିଲରୁ ଚାଲି ଯାଇଥାନ୍ତି ଓ ଚାଷୀ ସୁରକ୍ଷିତ ରହିଥାଏ ।