ଖୋର୍ଦ୍ଧା: ଖରା, ବର୍ଷା ସହି ମୁଣ୍ଡ ଝାଳ ତୁଣ୍ଡରେ ମାରି ଧାନ ଫସଲ ଅମଳ କରିଛି ଚାଷୀ । ଚଳିତ ବର୍ଷ ପାଗ ଅନୁକୂଳ ଥିବାରୁ ଖୋର୍ଦ୍ଧା ଜିଲ୍ଲାରେ ଏଥର ଭଲ ଫସଲ ହୋଇଥିବା ଦେଖିବାକୁ ମିଳିଛି । ମାତ୍ର ଚାଷୀ ମାସେ ହେଲାଣି ବିଲରୁ ଧାନ ଘରକୁ ଆଣିଥିବା ବେଳେ ଏ ପର୍ଯ୍ୟନ୍ତ ମଣ୍ଡି ଖୋଲି ପାରିନି (Mandi Problems In Khordha) । ଯାହାଫଳରେ ବର୍ତ୍ତମାନ ହତାଶ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବେପାରୀଙ୍କୁ ଶାଗମାଛ ଦରରେ ଧାନ ଟେକି ଦେଉଥିବା ଅଭିଯୋଗ ହୋଇଛି ।
ଖୋର୍ଦ୍ଧା ଜିଲ୍ଲାରେ ଅନେକ ଚାଷୀ ଧାର କରଜ କରି ଧାନ ଚାଷ କରିଥିଲେ । ଭଲ ଫସଲ ମଧ୍ୟ ଅମଳ ହୋଇଛି । ମଣ୍ଡିରେ ଧାନ ଦେବାପାଇଁ ଚାଷୀମାନେ ସରକାରଙ୍କ ନିୟମ ଅନୁସାରେ ନାମ ପଞ୍ଜିକରଣ କରିଛନ୍ତି । କିନ୍ତୁ ମଣ୍ଡି କେବେ ଖୋଲିବ, ଚାଷୀ କେତେ ପରିମାଣର ଧାନ ଦେବେ ସେନେଇ ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟ ହୋଇନଥିବା ହେତୁ ଚାଷୀ ଏକ ପ୍ରକାର ଚିନ୍ତାରେ ପଡିଛନ୍ତି । ଫଳରେ ବାଧ୍ୟ ହୋଇ ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ ।
କରଜ ଟଙ୍କା ଶୁଝିବାକୁ ଚାଷୀ କମ୍ ମୂଲ୍ୟରେ ବେପାରୀଙ୍କୁ ଧାନ ବିକ୍ରି କରୁଛି । ଏବେ ଗାଁ ଗାଁରେ ଦଲାଲ ମାଧ୍ୟମରେ ଆନ୍ଧ୍ର ଧାନ ବେପାରୀ ଓ ବିଭିନ୍ନ ଧାନ ମିଲ୍ ମାଲିକ ସକ୍ରିୟ ହୋଇପଡିଛନ୍ତି । ସରକାର ମଣ୍ଡିରେ କୁଇଣ୍ଟାଲ ପିଛା ଧାନ ଦର ୨ ହଜାର ୪୦ ଟଙ୍କା ଏବଂ ଗ୍ରେଡ-ଏ ୨ ହଜାର ୬୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ହେଲେ ବେପାରୀ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୧୩୦୦ରୁ ୧୫୦୦ ଟଙ୍କାରେ ଧାନ କିଣି ନେଉଛନ୍ତି ।