ଓଡିଶା

odisha

ETV Bharat / state

ଆଜି ରଜ, ସାରୁଅ ପାନ ବଜାରରେ ଜମୁଛି ଭିଡ

ଖୋର୍ଦ୍ଧା ସାରୁଅ ପାନ ମାର୍କେଟରେ ରଜ ହେଲେ ଜମେ ଭିଡ । ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଜମିଛି ପାନଦୋକାନରେ ଭିଡ । ଯିଏ ସେ ବଜାରରେ ପଶିଲା କେଉଁ ପାନ କିଣିବ ନିଶ୍ଚୟ ହଡବଡେଇ ଯିବ । କାହିଁକି ନା ବଜାରରେ ରହିଛି 20 ପ୍ରକାର ପାନ ।

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

By

Published : Jun 14, 2019, 12:54 PM IST

ଖୋର୍ଦ୍ଧା: ଆଜି ରଜ, ଆଉ ରଜ ମଉଜରେ ସମସ୍ତେ ମସଗୁଲ । ଖେଳ କୁଦ ସହ ବନ୍ଧୁ ବର୍ଗଙ୍କ ଗହଣରେ କଟେ ସମୟ । ଆଉ ଆହୁରି ମଜା ଜମିଯାଏ ଯେବେ ପାଟିରେ ପଡ଼ିଯାଏ ଖଣ୍ଡେ ରଜ ପାନ। ଆଉ ରଜକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ସାରୁଅ ପାନ ବ୍ୟବସାୟୀ ମାନେ ବିଭିନ୍ନ ପ୍ରକାରର ମିଠା ମସଲା ଦେଇ ପ୍ରସ୍ତୁତ କରୁଛନ୍ତି ରଜ ପାନ । ବିଶେଷ କରି ଚଳିତ ବର୍ଷ ଫାୟାର ପାନ ବେଶ ଆକୃଷ୍ଟ କରୁଛି ଗ୍ରାହକଙ୍କୁ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା


ଖୋର୍ଦ୍ଧା ଜିଲ୍ଲାର ସାରୁଅ ବଜାର । ଖିଲି ପାନ ବଜାର ଭାବେ ରହିଛି ଏହି ବଜାରର ସ୍ୱତନ୍ତ୍ର ପରିଚୟ । ଆଉ ରଜ ଆସିଲେ ଗ୍ରାହକଙ୍କ ଚାହିଦା ମୁତାବକ ଏଠାରେ ମିଳେ ବିଭିନ୍ନ ପ୍ରକାରର ରଜ ପାନ । ଯାହା ପାଇଁ କଟକ, ଭୁବନେଶ୍ୱର, ନୟାଗଡ଼ ଆଦି ସ୍ଥାନରୁ ଦୌଡ଼ି ଆସନ୍ତି ରଜ ପାନ ନେବାକୁ । ତେବେ ଚଳିତ ବର୍ଷ ନୂଆ ପାନ ଭାବେ ଫାୟାର ପାନର ଚାହିଦା ଅଧିକ ରହିଥିବା ଦେଖାଦେଇଛି । ଆଉ ରଜ ଚାରିଦିନ ଯାକ ରଜ ପାନ ଖାଇବାକୁ ବେଶ ଭିଡ଼ ଜମାଇଥାନ୍ତି ଗ୍ରାହକ ।


ଏହି ବଜାରରେ ରହିଥାନ୍ତି କୋଡ଼ିଏରୁ ଉର୍ଦ୍ଧ୍ବ ପାନ ବ୍ୟବସାୟୀ । ଫୁରସତ ହୁଏନି ହାତକୁ । ରଙ୍ଗ ବେରଙ୍ଗର ମସଲାରେ ଗ୍ରାହକଙ୍କ ମନ ମୋହିଲା ଭଳି ପଚାଶ ପ୍ରକାରର ରଜପାନ ପ୍ରସ୍ତୁତ କରି ବିକ୍ରି କରିଥାନ୍ତି । ଆଉ ଏହି ରଜ ପାନ ଖଣ୍ଡକ ଦଶ ଟଙ୍କାରୁ ଆରମ୍ଭ କରି ଦେଢ଼ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା କହିଛନ୍ତି ପାନ ବ୍ୟବସାୟୀ । ଆଉ ଚଳିତ ବର୍ଷ ରଜରେ ବ୍ୟବସାୟ ଭଲ ହେବ ବୋଲି ଆଶା ମଧ୍ୟ ରଖିଛନ୍ତି ସେମାନେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details