ଖୋର୍ଦ୍ଧା:ରାଜ୍ୟରେ ବଢି ଚାଲିଛି ନାବାଳିକାଙ୍କ ଅପହରଣ ଓ ନିଖୋଜ ମାମଲା । ଏବେ ପୁଣି ଏକ ଘଟଣା ବୋଲଗଡ ଅଞ୍ଚଳରେ ଦେଖିବାକୁ ମିଳିଛି । ଅଢେଇ ମାସ ଧରି ଜଣେ ନାବାଳିକା କଲେଜ ଯାଇ ଫେରି ନ ଥିବା ବେଳେ ବାପା ମାଆ ବାରମ୍ବାର ଥାନାରେ ଅଭିଯୋଗ କରି ନିରାଶ ହୋଇଥିଲେ । ନ୍ୟାୟ ଆଶାରେ ଗତକାଲି ବାପା ମାଆ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ସୂଚନା ଅନୁଯାୟୀ ବୋଲଗଡ ଥାନା ଅନ୍ତର୍ଗତ ବାଙ୍କୋଇ ଗ୍ରାମର ନାବାଳିକା ଜଣକ ଗତ ନଭେମ୍ବର ମାସ ୨ ତାରିଖରେ ବିନୋଦପଡା ସ୍ଥିତ କଲେଜକୁ ପାଠ ପଢିବାକୁ ଆସି ଆଉ ଘରକୁ ଫେରି ନଥିଲେ । ଘର ଲୋକେ ବିଭିନ୍ନ ସମ୍ପର୍କୀୟ ଘର ଖୋଜା ଖୋଜି କରି ନିରାଶ ହେବା ପରେ ୩ ତାରିଖ ଦିନ ବାଙ୍କୋଇ ଫାଣ୍ଡି ସହ ବୋଲଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ବୋଲଗଡ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।
ବୋଲଗଡ଼ ପୋଲିସ ଘଟଣାକୁ ଗୁରୁତର ସହ ନେଉ ନଥିବା ଅଭିଯୋଗରେ ଗତ 6 ତାରିଖରେ ବୋଲଗଡ଼ ଥାନା ଆଗରେ ଧାରଣା ଦେଇଥିଲେ ବାପା ମାଆ । ନିଖୋଜ ଝିଅକୁ ଖୋଜି ଆଣି ଦେବାକୁ ପୋଲିସ ପ୍ରତିଶୃତି ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଫଳରେ ଆଜି ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଭେଟି ଝିଅକୁ ଖୋଜି ଆଣିବାକୁ ନିବେଦନ କରିଛନ୍ତି ।