ଭୁବନେଶ୍ବର: ଉତ୍ତରକାଶୀରେ ଟନେଲ ମଧ୍ୟରେ ଫସି ରହିଥିବା ଓଡିଆ ଶ୍ରମିକଙ୍କ ପରିବାର ସଦସ୍ୟମାନେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମିକଙ୍କ ପରିବାର ସଦସ୍ୟମାନଙ୍କୁ ଉତ୍ତରକାଶୀକୁ ନେବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିଛନ୍ତି । ସେମାନେ ହେଲେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୂରଭଞ୍ଜ ଜିଲ୍ଲାର ବିମଳା ନାୟକ, ଚିତ୍ତରଂଜନ ନାୟକ । ତେବେ ସରକାରଙ୍କ ପକ୍ଷରୁ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଆମର ସବୁ ଶ୍ରମିକ ସୁରକ୍ଷିତ ଥିବା କହି ପରିବାର ସଦସ୍ୟଙ୍କୁ ଆଶ୍ବସନା ଦେଇଛନ୍ତି ଭି.କେ ପାଣ୍ଡିଆନ ।
ଦୀର୍ଘ 14 ଦିନ ହେଲା ଉତ୍ତରାଖଣ୍ଡ ଉତ୍ତରକାଶୀର ଏକ ନିର୍ମାଣାଧୀନ ଟନେଲ ମଧ୍ୟରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡିଆ ଶ୍ରମିକ ମଧ୍ୟ ରହିଛନ୍ତି । ଏହି ଶ୍ରମିକମାନେ ହେଲେ ଭଦ୍ରକ ଜିଲ୍ଲାର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା ଏବଂ ମୟୂରଭଞ୍ଜର ବିଶେଶ୍ବର ନାୟକ, ଧୀରେନ ନାୟକ ଓ ରାଜୁ ନାୟକ । ତେବେ ଏହି ଶ୍ରମିକମାନଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାର ଉତ୍ତରକାଶୀକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହାୟତାରେ ନବରଙ୍ଗପୁର ଜିଲ୍ଲାର ଫୁଲଚାନ୍ଦ ଭତ୍ରା, ମୟୂରଭଞ୍ଜର ବିମଳା ନାୟକ, ଚିତ୍ତରଂଜନ ନାୟକଙ୍କୁ ଉତ୍ତରକାଶୀ ପଠାଇବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବରୁ ଅନ୍ୟ ଦୁଇ ଶ୍ରମିକଙ୍କ ପରିବାର ଉତ୍ତରାଖଣ୍ଡରେ ପହଞ୍ଚି ସାରିଛନ୍ତି । ଉଦ୍ଧାର ପରେ ଫସି ରହିଥିବା ଶ୍ରମିକମାନେ ସେମାନଙ୍କ ପରିବାର ବର୍ଗଙ୍କୁ ଭେଟି ପାରିବେ ।
ଏହା ମଧ୍ୟ ପଢନ୍ତୁ: ଉତ୍ତରକାଶୀ ରେସ୍କ୍ୟୁ ଅପରେସନରେ ପୁଣି ବାଧା, ୫୧ ମିଟରରେ ଅଟକିଲା ଡ୍ରିଲିଂ କାମ