ଖୋର୍ଦ୍ଧା: ଯୌତୁକ ଟଙ୍କା ନମିଳିବାରୁ ନବବଧୁକୁ ମାରିଦେଲେ ଶ୍ବଶୁରଘର ଲୋକେ । ଏପରି ଅଭାବନୀୟ ଘଟଣା ଘଟିଛି ବେଗୁନିଆ ଥାନା ଅର୍ନ୍ତଗତ ବାଦବାରବାଟୀ ଗ୍ରାମରେ । ଯୌତୁକ ଟଙ୍କା ବାକିଥିବାରୁ ଝିଅକୁ ଶ୍ବଶୁର ଘର ଲୋକେ ହତ୍ୟା କରିଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି ।
ଯୌତୁକ ଜୁଇରେ ଆଉ ଜଣେ ନବବଧୁ, ବାକି ଥିବା ଯୌତୁକ ନମିଳିବାରୁ ହତ୍ୟା ଅଭିଯୋଗ ସୂଚନା ଅନୁଯାୟୀ କଣାସ ବ୍ଲକ ସିରିଆପଦା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ଝିଅ ଶୁଭଲକ୍ଷ୍ମୀ ପାଟ୍ଟଶାଣୀ ଗତ ୨୦୨୧ ମସିହା ଜୁଲାଇ ମାସରେ ବାଦବାରବାଟୀ ଗ୍ରାମର ସନ୍ତୋଷ ଛୁଆରସିଂହଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଏହି ବିବାହରେ ଯୌତୁକ ବାବଦକୁ ଦେଢ ଲକ୍ଷ ଟଙ୍କା ଏବଂ ଆସବାବପତ୍ର ବାବଦଙ୍କୁ ସାଢେ ତିନି ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା । ତେବେ ପରିବାର ଲୋକେ ବିବାହ ବେଳେ ନଗଦ ୨ ଲକ୍ଷ ୯୦ ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ଗତ ସାବିତ୍ରୀ ଓ ରଜ ସମୟରେ ଭାର ସହ ୧ ଲକ୍ଷ ୪୦ ହଜାର ଟଙ୍କା ଦେଇଥିଲେ ।
ଏହାପରେ ବାକି ୭୦ ହଜାର ଟଙ୍କା ପାଇଁ ବାରମ୍ବାର ସନ୍ତୋଷଙ୍କ ପରିବାର ଦାବି କରୁଥିଲେ । ଏନେଇ ଶୁଭଲକ୍ଷ୍ମୀଙ୍କୁ ସବୁବେଳେ ମାରପିଟ କରୁଥିବା ଥାନାରେ ଅଭିଯୋଗ କରିଛନ୍ତି ଶୁଭଲକ୍ଷ୍ମୀଙ୍କ ବାପଘର । ପୂର୍ବରୁ ମଧ୍ୟ ଯୌତୁକ ଟଙ୍କା ପାଇଁ ଝିଅ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଶୁଭଲକ୍ଷ୍ମୀଙ୍କ ସ୍ବାମୀ ମଦପିଇ ମାରଧର କରିବା ସହିତ ଶାଶୁ ଶ୍ବଶୁର ମଧ୍ୟ ଅତ୍ୟାଚାର କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶୁଭଲକ୍ଷ୍ମୀଙ୍କ ପିତା ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ।
ଏନେଇ ବେଗୁନିଆ ଥାନାରେ ଅଭିଯୋଗ ପରେ ସାଇଣ୍ଟିଫିକ ଟିମ ସହ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ବେଗୁନିଆ ପୋଲିସ ।
ଇଟିଭି ଭାରତ, ଖୋର୍ଦ୍ଧା