ଭୁବନେଶ୍ବର: ନିଜକୁ ପୋଲିସ ଅଧିକାରୀର ପରିଚୟ ଦେଉଥିଲେ । ଥାନା ଆଇଆଇସି କହି ଯୁବକଙ୍କୁ ମାଡ଼ ଦେଉଥିଲେ । ଅସଲି ପୋଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ଭୁବନଶ୍ବରରୁ ଧରାପଡ଼ିଲା ନକଲି 420 ପୋଲିସ । ନକଲି ପୋଲିସ ସାଜି ଲୋକଙ୍କୁ ବୋକା ବନାଉଥିବା ଯୁବକକୁ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ରଞ୍ଜନ କୁମାର ଭୂୟାଁ । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ ହୋଇଥିବା ଜୋନ ୨ ଏସିପି ସୂଚନା ଦେଇଛନ୍ତି ।
ପୋଲିସର ସୂଚନା ଅନୁଯାୟୀ, ଗତ ଗୁରୁବାର ରାତ୍ରିରେ ବୋତଣ୍ଡା ଅଞ୍ଚଳରେ ଏକ ଭଡ଼ା ଘରେ ଜଣେ ପୋଲିସ ୟୁନିଫର୍ମରେ ଥିବା ବ୍ୟକ୍ତି ନିଜକୁ ଅଫିସର ପରିଚୟ ଦେଇ ଜଣେ ଯୁବକକୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏପରିକି ମିଛ କେସରେ ଜେଲରେ ଭର୍ତ୍ତି କରିବାକୁ ଧମକ ଦେଇଥିଲେ । କିଛି ଟଙ୍କା କାରବାର ନେଇ ପୋଲିସ ୟୁନିଫର୍ମରେ ଥିବା ପୋଲିସ ଉକ୍ତ ଯୁବକୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏନେଇ ଯୁବକଙ୍କ ଭାଇ ରଞ୍ଜନ କୁମାର ଜେନା ନାମକ ଏୟାରଫିଲ୍ଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇବା ପରେ ଉକ୍ତ ଅଧିକାରୀକୁ ଧରିବାକୁ ତଦନ୍ତ ଆରମ୍ଭ କରିଥିଲା । ପରିଶେଷରେ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଧରିଥିଲା । ଜଣାପଡିଥିଲା ଯେ, ସେ ଅସଲି ନୁହେଁ ବରଂ ଜଣେ ନକଲି ପୋଲିସ । ଯେକି ନିଜକୁ ସୁବୋଧ କୁମାର ନାୟକ ପରିଚୟ ଦେଇ ପୋଲିସଗିରି ଦେଖାଉଥିଲେ ।