ବ୍ରହ୍ମପୁର: ଗତ କିଛିଦିନ ଧରି ବେଶ ଚର୍ଚ୍ଚାରେ ରହିଥିବା ବ୍ରହ୍ମପୁର ଏମକେସିଜିରୁ ପୁଣି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ନିଜକୁ ଡାକ୍ତର ପରିଚୟ ଦେଇ ଦଲାଲ କରୁଥିବା ଯୁବକଙ୍କୁ ଗିରଫ କରିଛି ପୋଲିସ । ତେବେ ଯୁବକ ଜଣକ ବେକରେ ଡାକ୍ତରଙ୍କ ନକଲି ଆଇଡିକାର୍ଡ ପକାଇ ଦଲାଲ କାର୍ଯ୍ୟ କରୁଥିବା ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ଆସନ୍ତା ସୋମବାରରୁ ଜୟପୁରକୁ ଉଡ଼ିବ ବିମାନ, ଉତ୍ସାହିତ ଯାତ୍ରୀ
ଦକ୍ଷିଣ ଓଡ଼ିଶାରର ଜନସାଧାରଣ ନିର୍ଭର କରୁଥିବା ଏମକେସିଜି ମେଡିକାଲରୁ ପୁଣି ଜଣେ ଦଲାଲ୍ ଧରାପଡ଼ିଛି । ନିଜକୁ ଡାକ୍ତର ପରିଚୟ ଦେଇ ଅସ୍ଥିଶଲ୍ୟ ବିଭାଗରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରୁଥିବା ବେଳେ ଧରାପଡିଥିବା ସୂଚନା ରହିଛି । ଦଲାଲ୍ ନିକଟରୁ ରହିଥିବା ପରିଚୟ ପତ୍ରରୁ ତାଙ୍କ ନାମ ଦୀପକ କୁମାର ନାହାକ ବୋଲି ଜଣାପଡିଛି । ଦୀପକ ରୋଗୀମାନଙ୍କୁ ବିଭିନ୍ନ କ୍ଲିନିକକୁ ଚାଲାଣ କରିବା କାର୍ଯ୍ୟ କରୁଥିବା ନେଇ ସନ୍ଦେହ କରାଯାଇଛି । ତେବେ ଦୀପକ ବ୍ରହ୍ମପୁର ସହରରେ ଏକ ଘରଭଡ଼ା ନେଇ ରହୁଥିବା ବେଳେ ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଛାତ୍ର ବୋଲି ବ୍ରହ୍ମପୁର ପୋଲିସ ତରଫରୁ ସୂଚନା ଦିଆଯାଇଛି । ତେବେ ଦୀପକ ଏହି ଦଦାଲ କାମ କେବେଠାରୁ କରୁଥିଲେ ସେନେଇ କୌଣସି ସଠିକ ସୂଚନା ନଥିବା ବେଳେ ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
ତେବେ ଗତ କିଛିଦିନ ତଳେ ପୋଲିସ ପକ୍ଷରୁ ୭ଜଣ ଦଲାଲ ଧରାପଡ଼ିଥିବା ବେଳେ ଆଜି ପୁଣି ଆଉ ଜଣେ ଦଲାଲ୍ ଡାକ୍ତର ବୋଲି ପରିଚୟ ଦେଇ ଧରାପଡ଼ିଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।