ଖୋର୍ଦ୍ଧା:ପୂର୍ବ ଶତ୍ରୁତାରୁ ତୁମୁଳକାଣ୍ଡ । ପୋଖରୀ ମାଛ ଭାଗକୁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହେବାରୁ ୯ଜଣ ଆହତ ହୋଇଥିବା ବେଳେ ୨୧ ଜଣଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ଅଞ୍ଚଳରେ । ମୁହାଁମୁହିଁ ହୋଇଥିବା ଦୁଇ ଗୋଷ୍ଠୀ ହେଉଛନ୍ତି ଅଟ୍ରି ମାଳିସାହିର ହଟନାଥ ଦେବଙ୍କ ସେବାୟତ ପରିବାର ଏବଂ ମହାନ୍ତି ପରିବାର ।
ମିଳିଥିବା ସୂଚନା ଅନୁଯାୟୀ, ହଟନାଥଦେବଙ୍କ ସେବାୟତ ପରିବାର ଏବଂ ମାହାନ୍ତି ପରିବାର ମଧ୍ୟରେ ପୂର୍ବରୁ ହଟକେଶ୍ୱର ଦେବଙ୍କ ପୋଖରୀ ମାଛ ଭାଗକୁ ନେଇ ପୂର୍ବରୁ ଶତ୍ରୁତା ରହିଥିଲା । ପୋଖରୀ ମାଛମାରି ସେବାୟତଙ୍କ ପରିବାର କାହିଁ କେଉଁ କାଳରୁ ଖାଇ ଆସୁଥିବା ବେଳେ ମହାନ୍ତି ପରିବାର ଭାଗ ନେବାକୁ ଦାବି କରିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ବିବାଦ ରହିଥିଲେ ।
ତେବେ ଗତକାଲି ଭାଗବତ ମହାପାତ୍ରଙ୍କ ଭଣଜା ମୁନା ମହାପାତ୍ର ସାଙ୍ଗସାଥି ହୋଇ ଚଣ୍ଡୀ ମନ୍ଦିରରେ ଭୋଜିଭାତ ଆୟୋଜନ କରିଥିଲେ। ମୁନା ମଟର ସାଇକେଲରେ ବାରମ୍ବାର ଯିବାଆସିବା ନେଇ ମହାନ୍ତି ପରିବାର ଗୋଷ୍ଠୀର ଅଶୋକ ମୁନାକୁ ବାରଣ କରିଥିଲେ । ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଫଳରେ ଉଭୟ ପକ୍ଷର ୯ଜଣ ଆହତ ହୋଇଥିଲେ ।
ଏନେଇ ମହାନ୍ତି ପରିବାର ଗୋଷ୍ଠୀର ଅଶୋକ ଦାସ ଥାନାରେ ଅଭିଯୋଗ କରିବା ପରେ କେସ ନମ୍ବର ୧୯୯/୨୨ରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ସେହିପରି ସେବାୟତ ଗୋଷ୍ଠୀର ଭାଗବତ ମହାପାତ୍ର ତାନାରେ ଅଭିଯୋଗ କରିବା ପରେ କେସ ନମ୍ବର ୨୦୦/୨୨ରେ ମାମଲା ରୁଜୁ କରି ଉଭୟ ପକ୍ଷରୁ ୨୧ଜଣଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି ।