ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ପୋର୍ଟ, ସିପିଂ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟ ସରକାରଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ । ସେ କହିଛନ୍ତି ଆଗାମୀ ବର୍ଷକ ମଧ୍ୟରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନଂ ପୋର୍ଟ ହେବ । ମାତ୍ର ଏହା ବହୁ ବର୍ଷ ତଳୁ ହୋଇ ପାରିଥାନ୍ତା । କିନ୍ତୁ ପୋର୍ଟକୁ ଭଲ ଗମନାଗମନ ସୁବିଧା ନଥିବାରୁ ତାହା ହୋଇ ପାରୁନି । ରାସ୍ତା ସେଠାରେ ଠିକ ନାହିଁ ଏବଂ ବହୁତ ଅଣ ଓସାରିଆ ରାସ୍ତା । ସେଥିପାଇଁ ପୋର୍ଟକୁ ଠିକ ସେ ବେପାର ଆସୁନି । ରାସ୍ତା ଚଉଡ଼ା କରିବାକୁ ପୋର୍ଟ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରୀପଦ ନାୟକ ।
ଶ୍ରୀପଦ ନାୟକ କହିଛନ୍ତି, "ରାଜ୍ୟ ସରକାର ଗମନାଗମନ ସୁବିଧା କରୁ ନାହାନ୍ତି । ରାଜ୍ୟ ସରକାର ତାହା କରିଦେଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାରାଦ୍ୱୀପ ଦେଶର ଏକ ନମ୍ବର ପୋର୍ଟ ହେବ । ରାଜ୍ୟ ସରକାରଙ୍କୁ ମୁଁ ଅପିଲ କରୁଛି ତୁରନ୍ତ ରାଜ୍ୟ ସରକାର ରାସ୍ତା ଚଉଡ଼ା କରିବାର କାମ ଆରମ୍ଭ କରନ୍ତୁ । ଯଦି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କିଛି ସାହାଯ୍ୟ ମାଗିବେ କେନ୍ଦ୍ର ବି ସାହାଯ୍ୟ କରିବା ପାଇଁ ରାଜି । ଯାହା ଦ୍ୱାରା ଓଡ଼ିଶାର ଓ ଭାରତର ବିକାଶ ହେବ । ସେହିପରି ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି । କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସାଦ ଓ ସ୍ବଦେଶୀ ଦର୍ଶନ ଯୋଜନା ଭଳି ଅନେକ ଯୋଜନା ଲାଗୁ କରିଛନ୍ତି ।"