ଭୁବନେଶ୍ବର: କଂଗ୍ରେସରେ ଯୋଗଦେବା ପରେ ସୋମବାର ଓଡ଼ିଶା ଫେରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ନିକଟରେ ଦିଲ୍ଲୀ ଯାଇ ସେ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ସାଧାରଣ ସମ୍ପାଦକ କେସି ବେଣୁ ଗୋପାଳ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସର ହାତ ଧରିଛନ୍ତି । ତେବେ ବିଜୟଙ୍କ ଯୋଗଦାନ କଂଗ୍ରେସକୁ ଆହୁରି ସଶକ୍ତ କରିବ ଏବଂ ତାଙ୍କର ଅଭିଜ୍ଞତା ଏବଂ ଅନୁଭୂତି ରାଜ୍ୟ କଂଗ୍ରେସ ପାଇଁ ସହାୟକ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତୃବୃନ୍ଦ ।
ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ବର ବିମାନ ବନ୍ଦର ଠାରେ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଛାତ୍ର କଂଗ୍ରେସ ତରଫରୁ ଏକ ବିଶାଳ ଶୋଭାଯାତ୍ରା କରି ବିଜୟଙ୍କୁ ରାଜ୍ୟ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯାଇଥିଲା । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପୂର୍ବତନ ପିସିସି ମୁଖିଆ ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ବରିଷ୍ଠ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ପ୍ରମୁଖ ଉପସ୍ଥିତ ରହି ବିଜୟ ପଟ୍ଟନାୟକଙ୍କୁ ସ୍ବାଗତ କରିଥିଲେ ।