ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହୋଇଛି ଚଳିତ 2023-24 ଆର୍ଥିକ ବର୍ଷର ଅନୁସୂଚିତ ଜନନଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ ବିଭାଗର ଖର୍ଚ୍ଚ ଦାବି । ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ଖର୍ଚ୍ଚ ଦାବି ଉପସ୍ଥାପନା କରିଥିଲେ । ଏଥିରେ ଶାସକ ବିରୋଧୀ ଦଳ ସଦସ୍ୟ ମାନେ ଭାଗ ନେଇ ଆଲୋଚନା କରିଥିଲେ ।
ଅନୁସୂଚିତ ଜନନଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ ବିଭାଗ ପାଇଁ ଆସନ୍ତା ବର୍ଷ ୩୧ ମାର୍ଚ୍ଚ ୨୦୨୪ ସୁଧା ଆବଶ୍ୟକ ପଡୁଥିବା ୪୬୫୧ କୋଟି ୭୫ ଲକ୍ଷ ୬୯ ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ପ୍ରସ୍ତାବ ଅନୁମୋଦନ ପାଇଁ ମନ୍ତ୍ରୀ ଆଗତ କରିଥିଲେ । ଏହାକୁ ନେଇ ଗୃହରେ ସରଗରମ ଆଲୋଚନା ହୋଇଥିଲା । ଆଲୋଚନାରେ ଭାଗ ନେଇ ବିରୋଧୀ ବିଜେପି ସଦସ୍ୟ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ସେ ଏହାକୁ ସମର୍ଥନ କରୁନାହାନ୍ତି। କାରଣ ଆଦିବାସୀଙ୍କ ବିକାଶ ପାଇ କେନ୍ଦ୍ରରୁ ଆସୁଥିବା ଅନୁଦାନ ଖର୍ଚ୍ଚ ହୋଇପାରୁନାହିଁ । ଆଦିବାସୀଙ୍କ ଶିକ୍ଷା ଓ ସ୍ୱାସ୍ଥା କ୍ଷେତ୍ରରେ ବିକାଶ ହୋଇପାରୁନାହିଁ । ସ୍କୁଲ ଅଛି ଶିକ୍ଷକ ନାହାଁନ୍ତି। ପେଶା ଆକ୍ଟ କାହିଁକି ଲାଗୁ କରାଯାଇନାହିଁ? ବିଧାୟକ ଦାଶରଥି ଗମାଙ୍ଗ ମଧ୍ୟ ଏହି ଖର୍ଚ୍ଚ ଦାବିକୁ ସମର୍ଥନ କରିନଥିଲେ । ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ, ସନାତନ ବିଜୁଳୀ, ନବ ଚରଣ ମାଝୀ, ପ୍ରକାଶ ସୋରେନ, ସୂର୍ଯ୍ୟବଂଶୀ ସୂରଜ, କୁସୁମ ଟେଟେ ପ୍ରମୁଖ ଆଲୋଚନାରେ ଭାଗ ନେଇ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବା ସହ ଆଦିବାସୀ ଓ ପଛୁଆବର୍ଗର ବିକାଶରେ କିଭଳି ସରକାର ପଛରେ ପଡିଛନ୍ତି ତାହାର ତଥ୍ୟ ରଖିଥିଲେ । କେନ୍ଦ୍ରୀୟ ଅନୁଦାନର ସଠିକ ଖର୍ଚ୍ଚ ହୋଇପାରୁନଥିବା ଅଭିଯୋଗ କରିଥିଲେ ।
ଏହାବି ପଢନ୍ତୁ- Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା
ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ମହମ୍ମଦ ମୋକିମ ଓ ରାଜନ ଏକ୍କା ଆଲୋଚନାରେ ଭାଗନେଇ ଅନୁସୂଚିତ ଜନନଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗଙ୍କ ବିଭିନ୍ନ ସମସ୍ୟା ଉତଥାପନ କରିଥିଲେ ।