ଖୋର୍ଦ୍ଧା:ଜିଲ୍ଲା ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା ଦ୍ରବ୍ୟ କାରବାର । କେଉଁଠି ଦେଶୀ ମଦ ତ କେଉଁଠି ଗଞ୍ଜେଇ ଚୋରା ଚାଲାଣ କରି ମାଫିଆମାନେ ମାଲାମାଲ ହେଉଛନ୍ତି । ଏହାକୁ ନଜରରେ ରଖି ସକ୍ରିୟ ହୋଇଛି ଅବକାରୀ ବିଭାଗ । ବେଗୁନିଆ ଥାନା ଅନ୍ତର୍ଗତ ବଡପଦର ଜଙ୍ଗଲ ଭିତରେ ଏକ ମଦ ଭାଟି ଉପରେ ଚଢାଉ କରି ୫୦୦୦ ଲିଟର ପୋଚ ନଷ୍ଟ କରିବା ସହ ୧୪୦ ଲିଟର ଦେଶୀ ମଦ ଜବତ କରିଛି ।
ଚୋରାରେ ମଦ କାରବାର ଚାଲୁଥିବା ନେଇ ବିଶେଷ ସୁତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । କାରବାର ପଣ୍ଡ କରିବାକୁ ଯୋଜନା କରିଥିଲା ବିଭାଗ । ଏହା ପରେ ଖୋର୍ଦ୍ଧା ଅବକାରୀ ବିଭାଗ, ଟାଙ୍ଗୀ ଅବକାରୀ ବିଭାଗ , ବେଗୁନିଆ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମଦ ଭାଟି ଉପରେ ଅଚାନକ ଚଢାଉ ହୋଇଥିଲା ।