ଭୁବନେଶ୍ବର: କଥାରେ ଅଛି ବାଡ ଯଦି ଫସଲ ଖାଏ, କ୍ଷେତ ଜଗିବ କିଏ । ଠିକ ସେହିଭଳି ପୋଲିସ ମିତ୍ରର ଭାଇ ଯଦି ନିଶା ବିକିବ, ତାକୁ ଧରିବ ବା କିଏ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଭୁବନେଶ୍ବରରୁ । ସହରରେ ଅପରାଧକୁ ନିୟନ୍ତ୍ରଣ ପାଇଁ ପୋଲିସ ଆରମ୍ଭ କରିଥିଲା ବସ୍ତି ଚାଲ ଅଭିଯାନ । ବସ୍ତି ଚାଲ ଅଭିଯାନରେ ବସ୍ତି ଉପରେ ନଜର ରଖିବାକୁ ବସ୍ତିରେ ପୋଲିସ ଜଗାଇଥିଲା ବସ୍ତି ମିତ୍ର । ହେଲେ ଭୁବନେଶ୍ବରରେ ଏବେ ବସ୍ତି ମିତ୍ର ଓ ସେମାନଙ୍କ ସମ୍ପର୍କୀୟ ସମ୍ଭାଳିଛନ୍ତି ଅପରାଧିକ କାରବାରର ମଙ୍ଗ । କାରଣ କ୍ୟାପିଟାଲ ଥାନା କେଦାରପଲୀ ବସ୍ତିରୁ ଆଜି ଧରାପଡିଛି ଜଣେ ନିଶା ବେପାରୀ । ଯିଏକି ଜଣେ ପୋଲିସ ମିତ୍ରର ଭାଇ ।
ସୂଚନା ମୁତାବକ ଏକ ବିଶ୍ବସ୍ତ ସୂତ୍ରରୁ କ୍ୟାପିଟାଲ ଥାନା ଅଞ୍ଚଳରେ ନିଶ କାରବାର ତଥା ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ କେଦାରପଲୀ ବସ୍ତିରେ ଚଢ଼ାଉ କରିଥିଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡର ଟିମ୍ । ଏଥିରେ କେଦାରପଲୀ ବସ୍ତିର ଗୌତମ ନାୟକକୁ ଗିରଫ କରିଥିଲା ଅବକାରୀ ବିଭାଗ । କିନ୍ତୁ ଅଭିଯୁକ୍ତ ଠାରୁ ବ୍ରାଉନସୁଗାର ମିଳିନଥିବା ବେଳେ ତାଙ୍କ ଘରୁ ବେଆଇନ ମଦ ଜବତ କରିଥିଲେ ଅଧିକାରୀ । ଏନେଇ ତୁରନ୍ତ ଅବକାରୀ ବିଭାଗ ମଦ ବିକିବା ଅଭିଯୋଗରେ ତାକୁ ଗିରଫକରି କୋର୍ଟ ଚାଲାଣ କରିଛି । ତେବେ ଅବକାରୀ ଅଧିକାରୀ ତଥା ଇନସ୍ପେକ୍ଟର ଦିଲ୍ଲୀପ ବେହେରାଙ୍କ ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଗୌତମ ନାୟକ ଜଣେ ବିଏମସି କର୍ମଚାରୀ ହୋଇଥିବା ବେଳେ ତା ସାନ ଭାଇ ଜଣେ ପୋଲିସ ମିତ୍ର । ତେବେ ଦୀର୍ଘଦିନ ଧରି ବ୍ରାଉନସୁଗାର ବିକ୍ରି କରୁଥିବା ସୂଚନା ପାଇ ରେଡ କରାଯାଇଥିଲା । ହେଲେ ବ୍ରାଉନସୁଗାର ବଦଳରେ ତା ଠାରୁ ୧୮ ଲିଟର ମଦ ଜବତ ହୋଇଛି । ଏନେଇ ତାକୁ କୋର୍ଟ ଚାଲାଣ କରାଯାଇଛି ।