ଭୁବନେଶ୍ବର: ରାଜ୍ୟରେ କଳା ଟଙ୍କାକୁ ଧଳାରେ ପରିବର୍ତ୍ତନ କରିବାର ବିରାଟ ଷଡଯନ୍ତ୍ର ଚାଲିଛି। ରାଜ୍ୟ ଓ କେନ୍ଦ୍ର ନେତାଙ୍କର ସହାଭାଗିତାରେ ଏହା ଚାଲିଛି। 2 ହଜାର ଟଙ୍କିଆ ନୋଟ ପରିବର୍ତ୍ତନ ପାଇଁ କେନ୍ଦ୍ର ସରକାର 7 ମାସ ସମୟ ଦେଇଥିଲେ । ହେଲେ ଏହି ସମୟ ମଧ୍ୟରେ କାହିଁକି ଟଙ୍କା ପରିବର୍ତ୍ତନ କରାଗଲାନାହିଁ। ଯେଉଁମାନେ ଲମ୍ବା ଧାଡିରେ ଠିଆ ହେଉଛନ୍ତି ସେମାନେ ଦିନମଜୁରିଆ ଲୋକ। ତେଣୁ ପ୍ରଶ୍ନ ହେଉଛି ଏହି ଗରିବ ଲୋକଙ୍କୁ କିଏ ଲାଇନରେ ଠିଆ କରାଉଛି? ପ୍ରତିଦିନ 3 କୋଟି ଟଙ୍କା ପରିବର୍ତ୍ତନ ହେଉଛି। ଏହି ଟଙ୍କା ବ୍ୟବସାୟୀ ନା ବଡ ବଡ ରାଜନେତା ମାନଙ୍କର? ଆରବିଆଇ 7 ମାସ ସମୟ ଦେଲା ପରେ ବି ଆହୁରି ଅଧିକ ସୁଯୋଗ କାହିଁକି ଦେଲା? କାହା ସ୍ବାର୍ଥରେ କାହା ନିର୍ଦ୍ଦେଶରେ ଏମିତି ଚାଲିଛି ? ଭୁବନେଶ୍ବର ସ୍ଥିତି ଆରବିଆଇର ଆଞ୍ଚଳିକ ଶାଖାରେ 2 ହଜାର ଟଙ୍କିଆ ନୋଟ ପରିବର୍ତ୍ତନକୁ ନେଇ ଲାଗୁଥିବା ଲମ୍ବା ଲାଇନ ଓ ଗରିବ ଲୋକଙ୍କୁ ଟାର୍ଗେଟ ପ୍ରସଙ୍ଗରେ ପ୍ରେସମିଟ କରି ଆଜି ଏଭଳି ଗର୍ଜିଛି ରାଜ୍ୟ କଂଗ୍ରେସ ।
ଅଧିକ ପଢନ୍ତୁ- Notes Exchange Deadline: ସରିଲାଣି ସମୟ ଅବଧି, ୨୦୦୦ ଟଙ୍କିଆ ନୋଟ ବଦଳ ପାଇଁ RBI କାର୍ଯ୍ୟାଳୟ ଆଗରେ ଲମ୍ବା ଲାଇନ
କଂଗ୍ରେସ ଭବନରେ ଆୟୋଜିତ ପ୍ରେସମିଟରେ ଦଳୀୟ ମୁଖପାତ୍ର ରଜନୀ ମହାନ୍ତି କହିଛନ୍ତି, ‘‘ନିର୍ବାଚନ ପୂର୍ବରୁ ଏହି ନୋଟ ପରିବର୍ତ୍ତନ କରି ନିର୍ବାଚନ ବୈତାରିଣୀ ପାର ହେବାକୁ ଚାଲ କରୁଛନ୍ତି କିଛି ରାଜନେତା । ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ଏହି କଳା ଧନକୁ ଧଳା କରି ବାଣ୍ଟି ନେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ଓ ରାଜ୍ୟର ଏତେ ଦକ୍ଷ ଅନୁସନ୍ଧାନ ସଂସ୍ଥା ଥାଇ ମଧ୍ୟ ତଥ୍ୟ ଯୋଗାଡ କରି ତଥ୍ୟ ପ୍ରକାଶ କରିପାରୁନାହାନ୍ତି । ଏହାର ଅର୍ଥ ରାଜ୍ୟବାସୀ ଅନୁମାନ କରିପାରୁଥିବେ।’’
ସେହିଭଳି କଂଗ୍ରେସ ମୁଖପାତ୍ର କହିଛନ୍ତି ରାଜ୍ୟ ରାଜଧାନୀର ଛାତି ଉପରେ ଆରବିଆଇ କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟ ସାମ୍ନାରେ ୬୦୦ ରୁ ୭୦୦ ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକ ଧାଡ଼ିରେ ପୁଳା ପୁଳା ୨୦୦୦ ଟଙ୍କିଆ ନୋଟ ଧରି ଆରବିଆଇରେ ବଦଳାଇବା ପାଇଁ ଛିଡ଼ା ହୋଇଛନ୍ତି । ସବୁଠାରୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏଭଳି ଲମ୍ବା ଲାଇନ ଅକ୍ଟୋବର ୧୪ ତାରିଖ ଠାରୁ ଆଜିକୁ ୧୮ ଦିନ ଧରି ଲାଗି ରହିଥିଲେ ମଧ୍ୟ ଭୁବନେଶ୍ବର ମହାନଗର କମିଶନରେଟର ପୁଲିସ ଅଧିକାରୀ, ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମସ୍ତେ ଦୀର୍ଘଦିନ ଧରି ଚୁପ୍ ହୋଇ ବସିବା ଏବଂ ଗଣମାଧ୍ୟମ ଏହି ଘଟଣାକୁ ବାରମ୍ବାର ଦେଖାଇଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନେଇ ବସି ରହିବା ଅତ୍ୟନ୍ତ ଚିନ୍ତାଜନକ ।
ଆରବିଆ ତଥ୍ୟ ଅନୁସାରେ ପ୍ରଚଳିତ ଦୁଇ ହଜାର ଟଙ୍କିଆ ନୋଟ ମଧ୍ୟରୁ ୯୭ ପ୍ରତିଶତ ନୋଟ ବ୍ୟାଙ୍କକୁ ଫେରିଆସିଛି । ଯେଉଁ ୩ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଗଚ୍ଛିତ ହୋଇ ରହିଛି ତାହାର ମୂଲ୍ୟ ୧୦ ହଜାର କୋଟି ଟଙ୍କା । କେନ୍ଦ୍ର ସରକାର ୭ ମାସ ପରେ ପୁଣି ସାରା ଭାରତ ବର୍ଷରେ ୧୯ ଟି ଆର.ବି.ଆଇ. ମାଧ୍ୟମରେ ୨ ହଜାର ଟଙ୍କା ନୋଟକୁ ବଦଳାଇବା ପାଇଁ ପୁନଃର୍ବାର ସୁଯୋଗ ଦେଇଛନ୍ତି । ବିମୁଦ୍ରିକରଣ ସମୟରେ ଗୋଟିଏ ଦିନ ବି ଜନସାଧାରଣଙ୍କୁ ଦିଆଯାଇନଥିଲା । କିନ୍ତୁ ୭ ମାସ ପରେ ଏ ଟଙ୍କାକୁ ବଦଳାଇ ନ ପାରିବା ଏବଂ ଅକ୍ଟୋବର ୧୪ ପାଖରୁ ଜରି ଗୋଟାଳୀ, ଗରୀବ ଖଟିକିଆ ମଜୁରିଆଙ୍କୁ ୨୦୦ ରୁ ୩୦୦ ଟଙ୍କା ଦେଇ ପ୍ରତିଦିନ ୩ ରୁ ୪ କୋଟି ଟଙ୍କା ଆର.ବି.ଆଇ.ରେ କିଏ ସେ ପ୍ରଭାବଶାଳୀ ବ୍ୟକ୍ତିମାନେ ବଦଳାଉଛନ୍ତି । ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନେ ଏ ଟଙ୍କା ତାଙ୍କର ନୁହଁ ବୋଲି କହି ସାରିଲା ପରେ କାହିଁକି କାହା ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଏ ଟଙ୍କା ବଦଳାଇବାରେ ସୁଯୋଗ ଦିଆଯାଉଛି ବୋଲି ପ୍ରଦେଶ କଂଗ୍ରେସ ପ୍ରଶ୍ନ କରୁଛି? ଏହା କ’ଣ ବିଜେପି ଓ ବିଜେଡ଼ି ଦଳର ବରିଷ୍ଠ ନେତୃବର୍ଗଙ୍କ ଟଙ୍କା କି ? ଯେଉଁଥିପାଇଁ ରାଜ୍ୟର ପୁଲିସ ବିଭାଗ ଅଧିକାରୀମାନେ ଚୁପ୍, ଇଓଡବ୍ଲୁ ଚୁପ ଓ ଇଡ଼ି ମଧ୍ୟ ଚୁପ । ଏବେ କଳାଧନ କିଏ ମହଜୁଦ କରି ରଖିଥିଲା । ରାଜ୍ୟବାସୀଙ୍କୁ ଏ କଥା ଆଉ ଅଛପା ନାହିଁ । ନିର୍ବାଚନ ପୂର୍ବରୁ ସାରା ଭାରତ ବର୍ଷରେ ଏ ଟଙ୍କାକୁ ବଦଳାଇବା ପାଇଁ ଯେଉଁ ଅଭିନବ ଉପାୟ ଚାଲିଛି, ଏଥିରୁ ସ୍ପଷ୍ଟଭାବେ ବୁଝାପଡ଼ୁଛି ବିଜେପି ଦଳର ନେତୃବୃନ୍ଦଙ୍କ ସଂପୃକ୍ତି ବିନା ଏହା ସମ୍ଭବ ହେବ ନାହିଁ ।
କଂଗ୍ରେସ ଦାବି କରିଛି ଯେଉଁ ଲୋକମାନେ ଲାଇନରେ ଛିଡ଼ା ହୋଇଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଯେଉଁ ବ୍ୟକ୍ତି ବା ନେତୃବର୍ଗ ଏ ପରଦା ପଛରେ ଏ କଳାଧନକୁ ଧଳାଧନ କରିବା ପାଇଁ ଏ କାର୍ଯ୍ୟ କରୁଛନ୍ତି ତାଙ୍କୁ ଆଇନର ପରିଧି ଭିତରକୁ ଅଣାଯାଉ । ଇଡ଼ି କେବଳ ବିରୋଧିଦଳର ନେତୃବର୍ଗଙ୍କ ପାଇଁ ଅଛି କି ? ନା ସମସ୍ତ ଅର୍ଥନୈତିକ ଅପରାଧିମାନଙ୍କୁ ଧରିବା ପାଇଁ?
ଇଟିଭି ଭାରତ, ଭୁବନେଶ୍ବର