ଭୁବନେଶ୍ବର: ପାଖେଇ ଆସିଲାଣି ବୋର୍ଡ ପରୀକ୍ଷା । ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଉପରେ ଚାପ କମ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରାୟାସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲିଖିତ ପୁସ୍ତକ ଏଗ୍ଜାମ ୱାରିୟର୍ସର ଏବେ ଓଡ଼ିଆ ଭାଷାରେ ବି ଉପଲବ୍ଧ । ଓଡ଼ିଆ ସମେତ ୧୩ଟି ଭାଷାରେ ଉପଲବ୍ଧ ହେଉଛି ଏହି ପୁସ୍ତକ । ପ୍ରଧାନମନ୍ତ୍ରୀ ଏହି ବହିର ନୂଆ ସଂସ୍କରଣକୁ ଜାରି କରିବା ସହ ଟ୍ବିଟ କରି ଏନେଇ ସୂଚନା ଦେଇଛନ୍ତି ।
ଏଗ୍ଜାମ ୱାରିୟର୍ସ ପୁସ୍ତକର ଓଡ଼ିଆ ସମେତ ୧୩ ଭାଷାରେ ସଂସ୍କରଣ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, "ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏହି ବହି ସଫଳତାର ମନ୍ତ୍ର ଦେବ ।" ସେପଟେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲିଖିତ ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ ଜରିଆରେ କହିଛନ୍ତି । ପରୀକ୍ଷା ଚାପକୁ କମ୍ କରିବାରେ ଏହି ପୁସ୍ତକ ଫଳପ୍ରଦ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏଗ୍ଜାମ ୱାରିୟର୍ସକୁ ପଢି ଛାତ୍ରଛାତ୍ରୀ ଅଧିକ ଆତ୍ମବିଶ୍ବାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଛନ୍ତି ।