ଖୋର୍ଦ୍ଧା: ଆସନ୍ତା ୨୦୨୪ରେ ହେବ ସାଧାରଣ ନିର୍ବାଚନ । ଏବେଠୁ ବହିଲାଣି ନିର୍ବାଚନୀ ହାଓ୍ବା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ପହଞ୍ଚିଛି ଇଭିଏମ । ଖୋର୍ଦ୍ଧାରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କଡରେ ଥିବା ଷ୍ଟ୍ରଙ୍ଗରୁମରେ ଏହାକୁ ରଖାଯାଇଛି । ଏହାର ସୁରକ୍ଷା ପାଇଁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିବା ଦେଖାଯାଇଛି ।
ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଗୋଟିଏ ଟିମ୍ ହାଇଦ୍ରାବାଦରୁ 5ହଜାର 1ଶହ ବାଲାଟ ୟୁନିଟ ଏବଂ 5ହଜାର କଣ୍ଟ୍ରୋଲ ୟୁନିଟ ଇଭିଏମ ନେଇ ଖୋର୍ଦ୍ଧାରେ ପହଞ୍ଚିଥିଲେ । ଆସିଥିବା ଏହି ଇଭିଏମ ଗୁଡିକୁ ଷ୍ଟ୍ରଙ୍ଗ ରୁମ୍ରେ ରଖାଯାଇ ପ୍ରଥମେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଯାଞ୍ଚ କରିଥିଲେ । ଇଭିଏମ ମେସିନଗୁଡ଼ିକ ବାକ୍ସରୁ ବାହାର କରିବା ସହ ସେଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଗଣତି କରାଯାଇଥିଲା । ଇଭିଏମ୍ ଅବସ୍ଥିତି ସମ୍ପର୍କରେ ଜାଣିବାକୁ ବାରକୋଡ଼ ଅନୁସାରେ ନିର୍ବାଚନ କମିଶନଙ୍କ ପୋର୍ଟାଲରେ କର୍ମଚାରୀମାନେ ଅପଲୋଡ କରୁଥିବା ନେଇ ଦେଖିବାକୁ ମିଳିଛି ।
ଛତିଶଗଡ଼ରୁ ଆସିଥିବା ନୋଡ଼ାଲ ଅଫିସରଙ୍କ ସହ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ଜିଲ୍ଲା ନିର୍ବାଚନ ଅଧିକାରୀ ପ୍ରମୁଖ ଇଭିଏମ ମେସିନ ଗୁଡ଼ିକୁ ଷ୍ଟ୍ରଙ୍ଗ୍ ରୁମରେ କିପରି ସୁରକ୍ଷା ବ୍ୟବସ୍ଥା ସହ ରଖାଯିବ ତାହାର ଯାଞ୍ଚ କରିଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କ କହିଛନ୍ତି, "ଖୋର୍ଦ୍ଧା ଜିଲ୍ଲାରେ ଆଠଗୋଟି ବିଧାନସଭା ଓ ଗୋଟିଏ ଲୋକସଭା ନିର୍ବାଚନ ମଣ୍ଡଳୀ ରହିଛି । ମତଦାନ ପାଇଁ ପ୍ରାୟ 1890 ବୁଥ୍ ଥିବା ବେଳେ ଏ ସମସ୍ତ ବୁଥରେ ମତଦାନ ନିମନ୍ତେ ଆବଶ୍ୟକ ଇଭିଏମ ଆସିବା ପରେ ତାର ସୁରକ୍ଷା ସହ ଗଣତି କରାଯାଇଛି । ସେହିପରି ଆସନ୍ତା 2ତାରିଖ ପରେ ସମସ୍ତ ଇଭିଏମଗୁଡ଼ିକ ଗୋଟିଗୋଟି କରି ଖୋଲାଯାଇ ଯାଞ୍ଚ ହେବ । ଏହି ସମସ୍ତ କାର୍ଯ୍ୟ ପ୍ରାୟ ଏକ ସପ୍ତାହ ଧରି ଚାଲିବ ।"