ଭୁବନେଶ୍ବର: ବହୁ ପ୍ରତିକ୍ଷାର ଅନ୍ତ ଘଟିବାକୁ ଯାଉଛି । ଖୁବଶୀଘ୍ର ବରମୁଣ୍ଡା ଆନ୍ତଃରାଜ୍ଯ ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଶେଷ ହେବ । ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ଯାୟରେ ରହିଥିବା ସୂଚନା ମିଳିଛି । ବରମୁଣ୍ଡାରେ ଥିବା କିଛି ଜବରଦଖଲକାରୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ବେଆଇନ ଭାବେ ରହିଥିବା କୋଠା ଓ ଦୋକନକୁ ଭଙ୍ଗାଯାଇଛି ।
ବରମୁଣ୍ଡାରେ ଆନ୍ତଃରାଜ୍ଯ ବସ ଟର୍ମିନାଲ ନିର୍ମାଣ କାର୍ଯ୍ଯ ଜୋରସୋରରେ ଚାଲିଛି । ହେଲେ ଟର୍ମିନାଲରେ ବାଧକ ସାଜିଛି ଜବରଦଖଲ । କିଛି ଜବରଦଖଲକାରୀଙ୍କୁ ବିଡିଏ ପକ୍ଷରୁ ହଟାଇ ଦିଆଯାଇଛି । ସେଠାରେ ଥିବା ପ୍ରବେଶ ଓ ପ୍ରସ୍ଥାନ ପଥରେ କିଛି ଜବରଦଖଲାକରୀ ଦୋକାନ ଓ ହୋଟେଲ ବେଆଇନ ଭାବରେ ଚଳାଇଥିଲେ । ଏମିତି କି କେତେକ ଘର ମଧ୍ୟ ନିର୍ମାଣ କରି ରହୁଥିଲେ ଏବଂ ଅନ୍ୟମାନଙ୍କୁ ଭଡା ଦେଇଥିଲେ । ଫଳରେ ଟର୍ମିନାଲ ନିର୍ମାଣ କାର୍ଯ୍ଯରେ ଅସୁବିଧା ଦେଖା ଦେଉଥିଲା । ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିବାକୁ ବାଧା ସୃଷ୍ଟି ହେଉଥିଲା । ଏନେଇ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଏନଫୋର୍ସମେଣ୍ଟ ଟିମ ବରମୁଣ୍ଡା ବସଷ୍ଟାଣ୍ଡର ଜବରଦଖଲକାରୀଙ୍କୁ ଉଚ୍ଛେଦ ଆରମ୍ଭ କରିଛି । ତେବେ ବସଷ୍ଟାଣ୍ଡର ପ୍ରବେଶ ଓ ପ୍ରସ୍ଥାନ ପଥରେ ବେଆଇନ ଭାବେ ତିଆରି ହୋଇଥିବା ଦୋକାନ ଓ ଘରଗୁଡ଼ିକୁ ଭାଙ୍ଗିବା ବେଳେ ଜବରଦଖଲକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଉଚ୍ଛେଦକୁ ଲୋକେ ବିରୋଧ କରିଥିଲେ । ଫଳରେ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।