ଭୁବନେଶ୍ବର:ପାଇକ ସ୍ମାରକୀ ନିର୍ମାଣ କାମରେ ବିଳମ୍ବ ହେଉଛି । ଏହାକୁ ନେଇ ପୁନର୍ବାର ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ରାଜ୍ୟ ସରକାର ଏ ପ୍ରକଳ୍ପକୁ କରାଇ ଦେଉନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ସେପଟେ ବିଜେପି ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ ଜିତୁ ମିତ୍ର ।
ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି ଯେ, 2018 ମସିହାରେ ତତ୍କାଳିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶୁଭ ଦେଇଥିଲେ । ଆଜିକୁ ଏହା 5 ବର୍ଷ ବିତିଗଲାଣି । ରାଜ୍ୟ ସରକାର ବିଭିନ୍ନ ଟାଳଟୁଳ ନୀତି ଅପଣାଇ ଏହି ପ୍ରକଳ୍ପକୁ କରାଇ ଦେଉନାହାନ୍ତି । ମୁଁ ବକ୍ସିଙ୍କ ଦାୟାଦ ଭାବେ ଅନୁଭବ କରୁଛି । ପ୍ରକଳ୍ପ ପାଇଁ ଯେତେବେଳେ ଗଛ କଟା ଓ ସ୍ଥାନାନ୍ତରଣ କଥା ଆସିଲା ସେତେବେଳେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଟଙ୍କା ମାଗିଥିଲେ । କେନ୍ଦ୍ର ସରକାର 55 ଲକ୍ଷ ଟଙ୍କା ଏହି ଗଛ କଟା ଓ ସ୍ଥାନାନ୍ତରଣ ବାବଦରେ ଦେଇଥିଲେ । ଗଛର ରୟାଲଟି ବାବଦରେ 8 ଲକ୍ଷ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ଗତ ନଭେମ୍ବର 2 ତାରିଖ ଦିନ ଡିଏଫଓ ଆଇଓସିଏଲକୁ ଏକ ଚିଠି ଲେଖିଛନ୍ତି । ସ୍ଥାନାନ୍ତରଣ ହେବାକୁ ଥିବା 789 ଗଛ ମଧ୍ୟରୁ 680ଟି ଗଛ ସ୍ଥାନାନ୍ତରିତ କରିଛୁ । ବର୍ତ୍ତମାନ ସୁଦ୍ଧା ଶତାଧିକ ଗଛ ସ୍ଥାନାନ୍ତରିତ ହୋଇପାରିନାହିଁ । ଏଥିରୁ ଜଣାପଡ଼ୁଛି ଟାଳଟୁଳ ନୀତି କିଏ କରୁଛି । ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବେ ନାହିଁ । ହୁଏତ ନିର୍ବାଚନ ପରେ ତାଙ୍କ ମନରେ ପରିବର୍ତ୍ତନ ହୋଇପାରେ । ତା ପରେ ଏହି କାର୍ଯ୍ୟ ଆରମ୍ଭ ହେବ । ପ୍ରଥମରୁ ସେମାନଙ୍କର ପାଇକ ମାନଙ୍କ ପ୍ରତି କୌଣସି ଆନ୍ତରିକତା ନଥିଲା । ବର୍ତ୍ତମାନ ମଧ୍ୟ ତାହା ନାହିଁ ।