ସୌମ୍ୟଙ୍କ ଗଣମାଧ୍ୟମ ସଂସ୍ଥାର ହାର୍ଡ ଡିସ୍କ ଖୋଲି ନେଲା ଇଓଡବ୍ଲୁ ଭୁବନେଶ୍ବର: ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦୈନିକ ଖବରକାଗଜ ସଂସ୍ଥାରୁ ହାର୍ଡ ଡିସ୍କ ଖୋଲି ନେଲା ଅର୍ଥନୈତିକ ଅପରାଧ ଶାଖା । କିଛି ଆକାଉଣ୍ଟସ ସେକ୍ସନର କାଗଜ ପତ୍ର ଜବତ କରାଯାଇଥିବା ଇଓଡବ୍ଲୁ ଏସପି ସୂଚନା ଦେଇଛନ୍ତି । ତଦନ୍ତରେ ଯାହା ଗୁରୁତ୍ବପୂର୍ଣ୍ଣ ତାହା କରାଯାଉଛି, ଅନେକଙ୍କୁ ସମନ କରାଯାଇଛି ଓ କିଛି ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିବା କହିଛନ୍ତି ଏସପି ।
ସୌମ୍ୟଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆଧାରରେ ଏବେ ଘନ ଘନ ରେଡ କରି ସୌମ୍ୟଙ୍କ ଅଫିସରୁ ଡକୁମେଣ୍ଟ ଓ ହାର୍ଡ ଡିସ୍କ ଜବତ କରିଛି ଇଓଡବ୍ଲୁ । କାରଣ ୧୪ ବର୍ଷ ତଳର କର୍ମଚାରୀଙ୍କ ରେକର୍ଡ ସହ ସେମାନଙ୍କ ସହ ଅଫିସରେ ହୋଇଥିବା ଆର୍ଥିକ ନେଣଦେଣ ଓ କାରବାର ସମ୍ପର୍କରେ ତଥ୍ୟ ଯୋଗାଡ କରୁଛି ଅର୍ଥନୈତିକ ଅପରାଧା ଶାଖା । ସୌମ୍ୟଙ୍କ ଅଫିସରେ ରେଡ ଜାରି ରହିଥିବା ବେଳେ ଏହାରି ଭିତରେ ଗଣମାଧ୍ୟମ ସଂସ୍ଥାର କିଛି କର୍ମଚାରୀଙ୍କୁ ଜେରା ପାଇଁ ସମନ ଯାଇଥିଲା । ଅନେକ ଆସି ଜେରାର ସମ୍ମୁଖୀନ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-ଗଣମାଧ୍ୟମ ଉପରେ ଆକ୍ରୋଶମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର: କଂଗ୍ରେସ
ଖବରକାଗଜ ସଂସ୍ଥାର ଜଣେ ପୂର୍ବତନ କର୍ମଚାରୀଙ୍କ ଋଣ ଠକେଇ ଅଭିଯୋଗକୁ ଭିତ୍ତି କରି ସୌମ୍ୟଙ୍କ ଦୈନିକ ଖବରକାଗଜ ସଂସ୍ଥାରେ ଚଢାଉ କରିଥିଲା ଇଓଡବ୍ଲୁ । ପୂର୍ବତନ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ତଦନ୍ତ ଜାରି ରହିଛି । ଇଓଡବଲ୍ୟୁ ରେଡ କରିବା ସହ ସଂସ୍ଥାର ଅନ୍ୟ କର୍ମଚାରୀଙ୍କ ସହ ସୌମ୍ୟ ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି । ତିନି ଦିନ ହେଲା ଗଣମାଧ୍ୟମ ସଂସ୍ଥାରେ ଇଓଡବ୍ଲୁର ଚଢାଉ ଜାରି ରଖିଥିଲା । ଆତ୍ମବିଭୋର ପ୍ରଶାସନ ଓ ଅସହାୟ ରାଜନେତା ଆଲେଖ୍ୟ ଲେଖି ଓଡ଼ିଶା ରାଜନୀତି ହଲଚଲ କରିଥିବା ସୌମ୍ୟଙ୍କ ପ୍ରତି ଆଗକୁ କଣ ପଦଷେପ ନେବ ଇଓଡବ୍ଲୁ ତାହା ଉପରେ ଏବେ ସମସ୍ତଙ୍କ ନଜର । ସୌମ୍ୟ ବର୍ତ୍ତମାନ ଚୁପ୍ ରହିଥିବା ବେଳେ ଆଗକୁ କଣ ରହିବ ଆଭିମୁଖ୍ୟ ତାହା ଉପରେ ବି ସାରା ଓଡିଶାର ନଜର ।
ଗତ ୧୬ତାରିଖରେ ସୌମ୍ୟଙ୍କ ଖବରକାଗଜ ସଂସ୍ଥାରେ କାମ କରୁଥିବା ପୂର୍ବତନ କର୍ମଚାରୀ ଅସୀମ ମହାପାତ୍ର ଋଣ ଠକେଇ ଅଭିଯୋଗ ଆଣିଥଲେ । ତାଙ୍କ କହିବା ଅନୁସାରେ ସେ ଚାକିରି କରୁଥିବା ସମୟରେ ତାଙ୍କୁ ଚାକିରି ଭୟ ଦେଖାଇ ଏକ ଦସ୍ତଖତ ନିଆଯାଇଥିଲା । ଏହାପରେ ତାଙ୍କ ନାଁରେ ସଂସ୍ଥା ପକ୍ଷରୁ ଋଣ ନିଆଯାଇଥିଲା । ଏହି ଅଭିଯୋଗ ଆସିବା ପରେ ଇଓଡବ୍ଲ୍ୟୁର ଏକ ଟିମ ସୌମ୍ୟ ପଟ୍ଟନାୟକଙ୍କ ଦ୍ବାରା ପରିଚାଳିତ ଖବର କାଗଜ ସଂସ୍ଥା ଉପରେ ଚଢଉ କରିଥିଲା।
ଇଟିଭି ଭାରତ, ଭୁବନେଶ୍ବର