ଭୁବନେଶ୍ବର: ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ପାଇଁ ହେବ ନାମଲେଖା। ଆସନ୍ତା ୨୦୨୩-୨୪ ଶିକ୍ଷା ବର୍ଷରୁ ରାଜ୍ୟରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ନାମ ଖୋଲାଯାଇ ଶିକ୍ଷାଦାନ ଆରମ୍ଭ କରାଯିବ। ଏନେଇ ପ୍ରସ୍ତୁତି ଶେଷ ହୋଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ରାଜ୍ୟ କୃଷି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ଜିଲା ଶିକ୍ଷା ଅଧିକାରୀ /ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନ ଉପସ୍ଥିତ ଥିଲେ । ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଏବେଠାରୁ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ସରକାରଙ୍କର ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମତବ୍ୟକ୍ତ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
ଏପଟେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ଶୁଭଶ୍ରୀ ନନ୍ଦ ଉନ୍ନୀତ ବିଦ୍ୟାଳୟ ଖୋଳାଯିବାରେ ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କର ଗୁରୁଦାୟିତ୍ୱ ଉପରେ ଆଲୋଚନା କରିଛନ୍ତି । ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକର ଭିତ୍ତିଭୂମି ନିର୍ମାଣ ଓ ନିୟମିତ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଏହା ସମୟ ସାପେକ୍ଷ । ତେଣୁ ବର୍ତ୍ତମାନ ସ୍ଥିତିରେ ବିଦ୍ୟାଳୟରେ ଉପଲବ୍ଧ କୋଠରୀ ମଧ୍ୟରୁ ଏକାଦଶ ଶ୍ରେଣୀ ପାଇଁ ଶ୍ରେଣୀଗୃହ ଚିହ୍ନଟ କରି ପ୍ରସ୍ତୁତି, ଆବଶ୍ୟକ ସ୍ଥଳେ, ସକାଳୁଆ ଶିକ୍ଷାଦାନ ବ୍ୟବସ୍ଥା, ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା, ନାମଲେଖା ପାଇଁ ନିଜ ନିଜ ବିଦ୍ୟାଳୟ ସମେତ ସ୍ଥାନୀୟ ଅଞ୍ଚଳର ଉଚ୍ଚ ବିଦ୍ୟାଳୟଗୁଡିକରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଛାତ୍ରଛାତ୍ରୀଙ୍କ ବସିବା ପାଇଁ ଟେବୁଲଚୌକି ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର୍. ଆୟାର ଆଲୋକପାତ କରିଛନ୍ତି ।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଯୋଗଦେଇ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷାଦାନ ବ୍ୟବସ୍ଥା, ପରୀକ୍ଷା ଓ ମୂଲ୍ୟାୟନ ବ୍ୟବସ୍ଥା ଆଦି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରାରମ୍ଭରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାମସ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ନାମଲେଖା ବ୍ୟବସ୍ଥା ଓ ସାମସ ଡାଟାବେସ ଉପରେ ଉପନିର୍ଦ୍ଦେଶକ ଡ଼. ଭାଗୀରଥି କାଣ୍ଡି ବିସ୍ତୃତ ଭାବରେ ଅଂଶଗ୍ରହଣକାରୀ ପ୍ରଧାନ ଶିକ୍ଷକମାନଙ୍କୁ ତାଲିମ ଦେଇଛନ୍ତି । ଉନ୍ନୀତ ବିଦ୍ୟାଳୟ ପାଇଁ ସମଗ୍ର ଶିକ୍ଷାରେ ଥିବା ବିଭିନ୍ନ ସୁବିଧା ସୁଯୋଗ, ଗୃହ ନିର୍ମାଣ, ଅର୍ଥ ପରିଚାଳନା ବ୍ୟବସ୍ଥା ଆଦି ଉପରେ ହୋଇଛି ବିସ୍ତୃତ ଆଲୋଚନା । ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ୩୦ଟି ଜିଲ୍ଲାରୁ ଜିଲ୍ଲା ଶିକ୍ଷା ଅଧିକାରୀ / ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ୧୦୬ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ, ୩ ଜଣ ଆଞ୍ଚଚଳିକ ଶିକ୍ଷା ନିର୍ଦ୍ଦେଶକ ଯୋଗଦେଇଛନ୍ତି।
ଇଟିଭି ଭାରତ, ଭୁବନେଶ୍ବର