ଭୁବନେଶ୍ବର: ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ୍କୁ ନେଇ ବିଦ୍ୟୁତ ବିଭାଗ ବାରମ୍ବାର ସମାଲୋଚିତ ହେଉଥିଲେ ମଧ୍ୟ ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ଶକ୍ତି ମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରବର୍ତ୍ତୀ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଅଛି, ସେଥିପାଇଁ ପାୱାର ଟ୍ରିପ ହେଉଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ୨୦୨୫ ସୁଦ୍ଧା ଭିତ୍ତିଭୂମି ସଜାଡ଼ିବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ଏଭଳି ପରିସ୍ଥିତ ହେବ ନାହିଁ ବୋଲି ମନ୍ତ୍ରୀ ଆଶା ରଖିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଓ ସଚିବଙ୍କ ସୂଚନା ଅନୁସାରେ, ପ୍ରତିବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହୋଇଥାଏ । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଆ ଉପକୂଳବର୍ତ୍ତୀ ତଥା ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ପାଇଁ ଯୋଜନା ହୋଇଛି । ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଏସବୁ କରୁଛନ୍ତି । ଭୁବନେଶ୍ବର ସମେତ ୩ଟି ସ୍ଥାନରେ ଅଣ୍ଡର ଗ୍ରାଉଣ୍ଡ କେବୁଲିଂ ହୋଇଛି ବୋଲି ବିଭାଗ ସୂଚନା ଦେଇଛି । ୨୦୧୯ ମସିହାରେ OPGCର ପୂର୍ବ ଉତ୍ପାଦନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଛି । ଏହି ଅବଧି ମଧ୍ୟରେ GRIDCO ଦ୍ବାରା ୨୨୦୦ ମେଗାୱାଟରୁ ଊର୍ଦ୍ଧ୍ବ ଅକ୍ଷୟ ଶକ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଛି । ଏହାଦ୍ବାରା ରାଜ୍ୟରେ ଅକ୍ଷୟ ଶକ୍ତିର ଅଂଶ ୨୦୧୮-୧୯ରେ ୨.୭୪% ଥିବାବେଳେ ୨୦୨୨-୨୩ରେ ପ୍ରାୟ ୧୦.୭%କୁ ବୃଦ୍ଧି ପାଇଛି । ୨୦୩୦ ସୁଦ୍ଧା ରାଜ୍ୟରେ ପ୍ରାୟ ୧୦ GW ଅକ୍ଷୟ ଶକ୍ତି ଉତ୍ପାଦନ ଲକ୍ଷ୍ୟ ପାଇଁ ୨୦୨୨ରେ ଏକ ପ୍ରଗତିଶୀଳ ଅକ୍ଷୟ ଶକ୍ତି ନୀତି ପ୍ରଣୟନ କରାଯାଇଛି ।