ଖୋର୍ଦ୍ଧା:ବାରମ୍ବାର ବିଦ୍ୟୁତ କାଟ୍ ହେବାରୁ ବିଦ୍ଯୁତ କର୍ମଚାରୀଙ୍କୁ ନିର୍ଦ୍ଧୁମ ପିଟିଲେ ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଗେଡିଆ ପଲ୍ଲୀରେ । ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୧୫ ଦିନ ଧରି ହେବ ବର୍ଷା ପବନ ଆଳରେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ଯୁତ କାଟ୍ ହେଉଥିଲା। ତେବେ ଏଭଳି ବିଦ୍ୟୁତ କାଟ୍ କରି ଗ୍ରାହକଙ୍କୁ ଟାଟା କମ୍ପାନୀ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ଧରି ଅସନ୍ତୋଷ ଲାଗି ରହିଥିଲା ।
ବାରମ୍ବାର ବିଦ୍ୟୁତ କାଟ୍ ଫଳରେ ବିଦ୍ଯୁତ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉପଭୋକ୍ତା। ସେପଟେ ବିଦ୍ଯୁତ କାଟକୁ ନେଇ ଅସନ୍ତୋଷ ଥିବା ଗ୍ରାହକଙ୍କ ଆକ୍ରୋଶର ଶିକାର ହୋଇ ହଟହଟା ହୋଇଛନ୍ତି ବିଦ୍ୟୁତ କର୍ମଚାରୀ । ଏଭଳିକି କାର୍ଯ୍ୟାଳୟରେ ପଶି କିଛି ଯୁବକ ଭଙ୍ଗା ରୁଜା କରିବା ସହିତ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନିର୍ଦ୍ଧୁ ଛେଚି ଥିବା ନେଇ ଆଜି ବେଗୁନିଆ ଥାନାରେ ଅଭିଯୋଗ କରିଛନ୍ତି ସଂପୃକ୍ତ କର୍ମଚାରୀ ।
ତେବେ କଳାପଥର ଟିପିସିଓଡ଼ିଏଲ ଅଧିନରେ ଥିବା ଗେଡିଆପଲ୍ଲୀ ବିଦ୍ଯୁତ୍ ଷ୍ଟ୍ରକ୍ଚରରୁ ବାରମ୍ବାର ବିଦ୍ଯୁତ୍ କାଟ୍ ହେଉଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ହଜାର ହଜାର ଉପଭୋକ୍ତା ନାହିଁ ନଥିବା ସମସ୍ଯାର ସମ୍ମୁଖୀନ ହେଉଥିଲେ । ତେବେ ବିନା କାରଣରେ ଅଘୋଷିତ ବିଦ୍ଯୁତ କାଟକୁ ନେଇ ମଧ୍ଯ ଲୋକମାନେ ପ୍ରତିବାଦ ମଧ୍ୟ କରୁଥିଲେ । କିନ୍ତୁ ବିଦ୍ଯୁତ କର୍ମଚାରୀ ଏହାକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।