ଖୋର୍ଦ୍ଧା: ବିଦ୍ୟୁତ ବିଭାଗର ଚରମ ଅବହେଳାର ଶିକାର ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ଅନେକ ବିଦ୍ୟୁତ ଉପଭୋକ୍ତା । କେତେବେଳେ ରକ୍ଷଣାବେକ୍ଷଣା ନାଁରେ ତ ଆଉ କେତେବେଳେ ମରାମତି କରିବା ବାହାନାରେ ବିଦ୍ୟୁତ ବିଭାଗ ଅଘୋଷିତ ବିଦ୍ୟୁତ୍ କାଟ । ସେହିପରି ବିଲ ଦେବାରେ ଅନିୟମିତତା ବେଗୁନିଆ ,ବୋଲଗଡ଼, ଟାଙ୍ଗି ଆଦି ଅଞ୍ଚଳରେ ବିଦ୍ୟୁତ ଗ୍ରାହକଙ୍କ ଚିନ୍ତା ବଢ଼ାଉଛି । କିନ୍ତୁ ବିଦ୍ୟୁତ ବିଭାଗ ଭିତ୍ତିଭୂମି ସଜାଡି ପାରୁନଥିବା କାରଣରୁ ବାରମ୍ବାର ଘଟୁଛି ଅଘଟଣ । ଯାହା ଫଳରେ କେଉଁଠି ବିଦ୍ୟୁତ ପୋଲ ପଡ଼ି ଯାଉଛି ନିରୀହ ଶିଶୁର ଅକାଳରେ ମୃତ୍ୟୁ ହେଉଛି ।
ସେହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବେଗୁନିଆ ବ୍ଳକ ବଡବେରଣା ଗ୍ରାମର ବଡସାହିରେ । ଏକ ବିଦ୍ୟୁତ୍ ପୋଲ ଯାହା ତଳ ମୁଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ଖୁଣ୍ଟର ଦୁଇ ପାର୍ଶ୍ଵରେ ଦୁଇଟି ମାଙ୍କଡ଼ା ପଥର ରଖି ସେହି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ତାର ଟାଣି ଉପଭୋକ୍ତାଙ୍କୁ ଦିଆଯାଇଛି । ଏନେଇ ବାରମ୍ବାର ଗ୍ରାମବାସୀ ବିଦ୍ୟୁତ ବିଭାଗର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କେହି ଶୁଣୁ ନାହାଁନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଖୁଣ୍ଟଟି ଏମିତି ବିପଦ ସଂକୁଳ ଅବସ୍ଥାରେ ରହିଛି ଯେ କେତେବେଳେ ବି ଅଘଟଣ ଘଟିପାରେ ।