ଓଡିଶା

odisha

ETV Bharat / state

ଓଡ଼ିଶାରେ ନିର୍ବାଚନ ଆୟୋଗଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା - ଭୋଟର ତାଲିକା ସଂଶୋଧନ

ECI Team Reviews Poll Preparedness: ଓଡ଼ିଶାରେ ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ଓ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ସମୀକ୍ଷା କଲେ ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Dec 14, 2023, 6:47 AM IST

ଭୁବନେଶ୍ବର:ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଓଡ଼ିଶାରେ ସାଧାରଣ ନିର୍ବାଚନ ପ୍ରସ୍ତୁତି କିପରି ରହିଛି ତାହାର ସମୀକ୍ଷା କରିବା ଲାଗି ଓଡ଼ିଶା ଆସିଛନ୍ତି ଭାରତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି । ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା ଓ ନୀତେଶ କୁମାର ବ୍ୟାସ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଉଭୟ ଅନୁଧ୍ୟାନ କରିଛନ୍ତି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସହ ଖାରବେଳ ଭବନ ସମ୍ମିଳନୀ କକ୍ଷରେ ଦୁଇ ଦିନ ଧରି ସମୀକ୍ଷା ବୈଠକ କରିଛନ୍ତି ।

ଓଡିଶାରେ ସାଧାରଣ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ବରିଷ୍ଠ ଉପନିର୍ବାଚନ କମିଶନରମାନଙ୍କୁ ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଓ ଆଗାମୀ ଦିନରେ ହେବାକୁ ଥିବା ସାଧାରଣ ନିର୍ବାଚନର ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନେ ସମ୍ପୂର୍ଣ୍ଣ ଭାବେ ଭୋଟର ତାଲିକାର ସଂଶୋଧନ କାର୍ଯ୍ୟ ଓ ନିର୍ବାଚନ ପ୍ରସ୍ତୁତି ସ୍ଥିତି ସମ୍ପର୍କରେ ପିପିଟି ମାଧ୍ୟମରେ ଦର୍ଶାଇଛନ୍ତି । ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ୱୟ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ତାଲିକାରେ ଯୋଗ ଦେବା ନିମନ୍ତେ ଫର୍ମ, ତାଲିକାରୁ ବାଦ ଓ ତାଲିକାରୁ ତ୍ରୁଟି ସଂଶୋଧନ ପାଇଁ ଥିବା ବାକିଆ ଫର୍ମଗୁଡ଼ିକୁ ଯଥାଶୀଘ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡିଶା ଦଖଲ ପାଇଁ ଆରମ୍ଭ ହେଲା ବିଜେପିର ଗୋଟିଚାଳନା !

ଏତଦବ୍ୟତୀତ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ମହିଳା, ଯୁବ, ବରିଷ୍ଠ, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ ଏବଂ ପ୍ରାଚୀନ ଜନଜାତି ଗୋଷ୍ଠୀ ନିର୍ବାଚକମାନଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି । ଭୋଟର ତାଲିକାର ଶୁଦ୍ଧତା ଦୃଷ୍ଟିରୁ ସତର୍କତାର ସହ କଷ୍ଟସାଧ୍ୟ କ୍ଷେତ୍ର ପରିଦର୍ଶନ ସହ ଭୋଟର ତାଲିକା ପରୀକ୍ଷା କରି ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ ଓ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ନିର୍ବାଚନ ସମୟରେ ଚୋରାରେ କାରବାର ହେଉଥିବା ଟଙ୍କା, ମଦ, ନିଶାଦ୍ରବ୍ୟ ଚାଲାଣ ହେଉଥିବା ବାଟଗୁଡ଼ିକୁ ଚିହ୍ନଟ କରିବା ପାଇଁ ସମୀକ୍ଷା ବୈଠକରେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିସବୁ ସ୍ଥାନଗୁଡ଼ିକରେ ଜବତକାରୀ ଦଳମାନଙ୍କୁ ମୁତୟନ କରିବା ଉପରେ ଗୁରୁତ୍ବାରୋପ ହୋଇଛି । ଫଳରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା କାର୍ଯ୍ୟ ହୋଇପାରିବ । ରାଜନୈତିକ ଦଳ ଓ ହିତାଧିକାରୀଙ୍କ ମତାମତକୁ ପ୍ରାଧାନ୍ୟ ଦିଆଯିବ ବୋଲି ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଉପନିର୍ବାଚନ କମିଶନର ଦ୍ବୟ ସମୀକ୍ଷା ବୈଠକରେ ପ୍ରକାଶ କରିଛନ୍ତି । ଶେଷରେ ନିର୍ବାଚନ ଆୟୋଗଙ୍କ ପ୍ରତିନିଧି ଦଳ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ଅବାଧ ଓ ମୁକ୍ତ ଭାବେ ପରିଚାଳନା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଆଇନଶୃଙ୍ଖଳା ଅତିରିକ୍ତ ଡିଜି ପୋଲିସ ସଂଜୟ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼. ଏନ୍‌. ତିରୁମାଲା ନାୟକ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଏବଂ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details