ଭୁବନେଶ୍ବର:ଛାତ୍ରଛାତ୍ରୀଙ୍କୁ ପଢାଇବାର ମାଧ୍ୟମ ମାତୃଭାଷା ହେଉ । ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କର ବାଲ୍ୟ ପ୍ରତିଭା ଓ ସୃଜନଶୀଳତାକୁ ପ୍ରସ୍ପୁଟିତ କରେ। ରାଜଧାନୀର ଐତିହାସିକ ଖଣ୍ଡଗିରି ପାଦଦେଶରେ ସ୍ଥାପିତ ‘ଶିବାନନ୍ଦ ସେଣ୍ଟିନାରୀ ବାଳକ ହାଇସ୍କୁଲ’ର ୪୦ତମ ବାର୍ଷିକ ଉତ୍ସବ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାତୃଭାଷା ଉପରେ ଗୁରୁତ୍ବାରୋପ କରିଛନ୍ତି । ବାହାର ରାଜ୍ୟରୁ ଆସି ଶିବାନନ୍ଦ ସେଣ୍ଟିନାରୀ ବାଳକ ହାଇସ୍କୁଲ’ ପରି ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ପିଲାଙ୍କୁ ସେମାନଙ୍କ ଭାଷାରେ ଶିକ୍ଷା ଦେବା ଦିଗରେ ଯୋଜନା ପ୍ରସ୍ତୁତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ''ପୂଜ୍ୟ ସାଧୁ, ମହାତ୍ମାମାନଙ୍କ ଦ୍ୱାରା ପରିଚାଳିତ ଶିବାନନ୍ଦ ସେଣ୍ଟିନାରୀ ବାଳକ ଉଚ୍ଚ ବିଦ୍ୟାଳୟ ଭାରତର ମୂଳ ବିଚାରକୁ ଆଧାର କରି ମଣିଷକୁ ମେସିନ ଭାବରେ ନୁହେଁ ବରଂ ଜଣେ ଉତ୍ତମ ମଣିଷ ଗଠନ କରିବା ଦିଗରେ ନିୟୋଜିତ ହେବା ପ୍ରଶଂସନୀୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ପ୍ରଣିତ ରାଷ୍ଟ୍ରୀୟ ଶିକ୍ଷାନୀତିରେ ମାତୃଭାଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ମାତୃଭାଷାରେ ଗୁଣାତ୍ମକ ଶିକ୍ଷା ହିଁ ଛାତ୍ରଛାତ୍ରୀଙ୍କର ବାଲ୍ୟ ପ୍ରତିଭା ଓ ସୃଜନଶୀଳତାକୁ ପ୍ରସ୍ପୁଟିତ କରେ । ପାଠ ପଢିବାର ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପାଠ ପଢିଲେ ହିଁ ପିଲାମାନେ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଏପିଜେ ଅବଦୁଲ କଲାମ ଓ ସିଭି ରମଣଙ୍କ ଭଳି ବୈଜ୍ଞାନିକ ହୋଇପାରିବେ ।''