ଓଡିଶା

odisha

By

Published : Jul 22, 2023, 2:23 PM IST

ETV Bharat / state

Golden Baba BMW Seized: ଗୋଲ୍ଡେନ ବାବାଙ୍କ BMW କାର୍ ଜବତ

ଗୋଲ୍ଡେନ ବାବାଙ୍କ ୩୦ ଲକ୍ଷ ଟଙ୍କାର BMW କାର୍ ଜବତ କଲା ଇଡି । ଅଧିକ ପଢନ୍ତୁ

Golden Baba BMW Seized
Golden Baba BMW Seized

ହାଇଦ୍ରାବାଦ: ପୁଣି ଚର୍ଚ୍ଚାରେ ଗୋଲ୍ଡେନ ବାବା । ବହୁଚର୍ଚ୍ଚିତ ଗୋଲ୍ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ଆଉ ଗୋଟିଏ ବିଳାସପୂର୍ଣ୍ଣ ଗାଡି ଜବତ ହୋଇଛି । ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବାବାଙ୍କ ଦାମୀ ବିଏମଡବ୍ଲ୍ୟୁ କାର୍ ସିଜ୍ କରିଛି । ଏହି ଗାଡିର ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବେଆଇନ ଅର୍ଥ କାରବାର ନିରୋଧ ଆଇନ(PMLA) ଅନୁସାରେ ଏକ ଘରୋଇ ହସ୍ପିଟାଲର ପାର୍କିଂ ଅଞ୍ଚଳରୁ ଗାଡିକୁ ଉଠାଇ ନେଇଛି ଇଡି ।

ଗୋଲ୍ଡେନ ବାବା ଲୋକଙ୍କୁ ଲୋନ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୫ କୋଟି ୫୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ଅତି ଜରୁରୀ ଭାବେ ଟଙ୍କା ଆବଶ୍ୟକ କରୁଥିବା ବ୍ୟବସାୟୀ ଓ ସାଧାରଣ ଲୋକେ ତାଙ୍କ ଦ୍ବାରା ଠକେଇର ଶିକାର ହୋଇଥିଲେ । ଏନେଇ ଅଭିଯୋଗ ପରେ ଏହାର ତଦନ୍ତ କରି ଅର୍ଥନୈତିକ ଅପରାଧ ଶାଖା(EOW) ଜ୍ୟୋତି ରଞ୍ଜନ ବେଉରାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । EOWର ଚାର୍ଜସିଟ୍ ଆଧାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ ଆରମ୍ଭ କରିଥିଲା ।

ଏହାମଧ୍ୟ ପଢନ୍ତୁ: ଗୋଲ୍ଡେନ ବାବାଙ୍କ ଅଡି ଗାଡି ଜବତ କଲା ଇଡି

ଅଭିଯୋଗ ଅନୁସାରେ, ଜ୍ୟୋତି ଟ୍ରେଡିଂ ଆଣ୍ଡ କମ୍ପାନୀର ଏକମାତ୍ର ମାଲିକ ଭାବେ ଗୋଲ୍ଡେନ ବାବା ବିଭିନ୍ନ ସଂସ୍ଥା ଓ ବ୍ୟକ୍ତିଙ୍କୁ ସେମାନଙ୍କ ବ୍ୟବସାୟରେ ଆର୍ଥିକ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇ କେତେକ ବୁଝାମଣା ପତ୍ର ସ୍ବାକ୍ଷର କରିଥିଲେ ଏବଂ ଜାଲ୍ ଦସ୍ତାବିଜ ଦେଖାଇ ଲୋକଙ୍କ ଠାରୁ ଲୋନ ପାଇଁ ଅଗ୍ରୀମ ଭାବେ ଟଙ୍କା ଠକେଇ କରୁଥିଲେ । ଗତ ବର୍ଷ ଜାନୁୟାରୀ ୨୦ରେ ତାଙ୍କର ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ପ୍ରାୟ ୫୦ ଲକ୍ଷ ୪୭ ହଜାର ଟଙ୍କା ଫ୍ରିଜ କରାଯାଇଥିଲା ।

ସେହିପରି ଚଳିତ ବର୍ଷ ଜୁଲାଇରେ ଇଡି ତାଙ୍କର ଏକ ଦାମୀ ଅଡି Q5 ଗାଡି ଜବତ କରିଥିଲା । ଭୁବନେଶ୍ବର ସିଆରପି ଛକରୁ ଗାଡିକୁ ଜବତ କରାଯାଇଥିଲା । କିନ୍ତୁ ଗୋଲ୍ଡେନ ବାବା ଫେରାର ହୋଇଯାଇଥିଲେ । ଏବେ ତାଙ୍କର ଦାମୀ ବିଏମଡବ୍ଲ୍ୟୁ ଗାଡି ଜବତ କରାଯାଇଛି । ସେ ଏବେ ଫେରାର୍ ଥିବା ବେଳେ ଉଭୟ ଇଡି ଓ ଇଓଡବ୍ଲ୍ୟୁ ତାଙ୍କୁ ଖୋଜୁଛି । କହିରଖୁଛୁ କି, ଜ୍ୟୋତି ରଞ୍ଜନ ବେକରେ ପୁଳା ପୁଳା ସୁନା ଚେନ ପକାଉଥିବାରୁ ସେ ଗୋଲ୍ଡେନ ବାବ ଭାବେ ପରିଚିତ ।

ABOUT THE AUTHOR

...view details