ଭୁବନେଶ୍ବର:ଅର୍ଚ୍ଚନା ମାମଲାର ତଦନ୍ତ ଆରମ୍ଭ କରିଛି ଇଡି । ରାଜ୍ୟର ବହୁ ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନାର ଅଚଳାଚଳ ସମ୍ପତ୍ତିର ଖୋଳତାଡ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ଏବଂ ତାଙ୍କ ସ୍ବାମୀ ଜଗବନ୍ଧୁ କେଉଁ ସୁତ୍ରରୁ ଅର୍ଥ ରୋଜଗାର କରୁଥିଲେ । ତାଙ୍କ ଆକାଉଣ୍ଟକୁ କେଉଁଠୁ ଟଙ୍କା ଆସୁଥିଲା । କିଏ କିଏ ଟଙ୍କା ଡିପୋଜିଟ କରିଛନ୍ତି । କେଉଁ କେଉଁ ରାଜନେତା ତଥା ବିତ୍ତଶାଳୀ ଅର୍ଚ୍ଚନାଙ୍କ ସହ ଅର୍ଥ କାରବାର କରିଛନ୍ତି ତାହାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ପାଓ୍ବାର କରିଡରରେ କମ୍ପନ ସୃଷ୍ଟି ହୋଇଛି । ଅର୍ଚ୍ଚନା ନାଗଙ୍କ ଅର୍ଥର ଉତ୍ସ କଣ ଥିଲା ? ଏତେ କମ ସମୟ ମଧ୍ୟରେ ଅର୍ଚ୍ଚନା କିଭଳି ରାଜଧାନୀରେ ଉଚ୍ଚ ଅଟ୍ଟାଳିକା ଛିଡ଼ା କଲେ ? ବିଶେଷ କରି ଦାମି ଦାମି ଗାଡି ଓ ସୁନାଗହଣା କିଣିବା ପାଇଁ କିଏ ଦେଇଥିଲା ପଇସା ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ନେଇ ବଡ଼ବଡ଼ିଆ ଭୟରେ ରହିଥିବା ନେଇ ଆଲୋଚନା ହେଉଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବ୍ଲାକମେଲର ଅର୍ଚ୍ଚନା ମାମଲାର ତଦନ୍ତ ଆରମ୍ଭ କରିବା ପରେ ଏପରି ଚର୍ଚ୍ଚା ଜୋର ଧରିଛି ।
ପଦାରେ ପଡ଼ିବେ ବଡ଼ବଡ଼ିଆ !
ଏହାପୂର୍ବରୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଅର୍ଚ୍ଚନା ମାମଲା ଯିବା ନେଇ ଆଲୋଚନା ହେଉଥିଲା । ତେବେ ଶେଷରେ ତାହା ହିଁ ହୋଇଛି । ଏବେ ଅର୍ଚ୍ଚନା ମାମଲାରେ ହୋଇଥିବା ଟଙ୍କା ନେଣଦେଣକୁ ନେଇ ଖୋଲତାଡ଼ କରିବ ଇଡି । ଏହାକୁ ନେଇ ବରିଷ୍ଠ ଓକିଲ ବନ ମହାନ୍ତି କହିଛନ୍ତି, "ପ୍ରଥମ ଯେତେବେଳେ ଏହି ଘଟଣା ପଦାକୁ ଆସିଥିଲା, ସେତେବେଳେ ଅର୍ଚ୍ଚନାଙ୍କ ସ୍ବାମୀଙ୍କୁ ଅଟକ ରଖି ଛାଡ଼ି ଦେଇଥିଲା ପୋଲିସ । ତାଙ୍କ ସହଯୋଗୀଙ୍କୁ ମଧ୍ୟ ପଚରାଉଚରା କରିନଥିଲା ପୋଲିସ । ଖଣ୍ଡଗିରି ଥାନାରେ ଯେଉଁ ଯୁବତୀ ଅଭିଯୋଗ କରିଥିଲେ ତାଙ୍କୁ ପଚରାଉଚରା କରିନି ପୋଲିସ । ଏହାଦ୍ବାରା ଅଭିଯୁକ୍ତଙ୍କୁ ପ୍ରମାଣ ନଷ୍ଟ କରିବା ପାଇଁ ଯଥେଷ୍ଟ ସମୟ ମିଳିଛି । ସମସ୍ତ ତଥ୍ୟ ଅର୍ଚ୍ଚନା ପାଖରେ ରହିଛି । ଯେଉଁମାନେ ବି ଟଙ୍କା ଦେଇଛନ୍ତି ତାଙ୍କୁ ପଚରାଉଚରା କରିବ ପୋଲିସ । ସେମାନେ କେଉଁ କାରଣରୁ ଟଙ୍କା ଦେଇଥିଲେ ତାହା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କହିବେ ।"
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତକୁ ବିଜେପିର ସ୍ବାଗତ