ଭୁବନେଶ୍ବର:ରାଜଧାନୀରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ପିଏମ ଗତିଶକ୍ତି ଓ ଜାତୀୟ ଲଜିଷ୍ଟିକ୍ସ ନୀତି ଉପରେ ପୂର୍ବ ଜୋନ ସମ୍ମିଳନୀ ଆୟୋଜିତ ହୋଇଛି। ଭାରତ ସରକାରଙ୍କ ମହାନଦୀ କୋଲଫିଲ୍ଡସ ଲିମିଟେଡ ଓ ରାଜ୍ୟ ସରକାରଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଭଳି ପୂର୍ବ କ୍ଷେତ୍ରୀୟ ରାଜ୍ୟରେ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଏକୀକୃତ ଯୋଜନା ପ୍ରସ୍ତୁତ କରିବା ଲାଗି ଆପୋଷ ସମନ୍ବୟ ବଢ଼ାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିବା ସୂଚନା ମିଳିଛି ।
ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି, "ଲଜିଷ୍ଟିକ୍ସ ହେଉଛି ଦେଶ ପାଇଁ ସବୁଠୁ ବଡ଼ ଆହ୍ବାନ । ପିଏମ ଗତିଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାରୁ ତାଙ୍କ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ପ୍ରଶଂସାଯୋଗ୍ୟ । ଏହା ଦ୍ବାରା ପରିବହନ କ୍ଷେତ୍ରର ବିଭିନ୍ନ ବିଭାଗରେ ରହିଥିବା ବାଧକ ଦୂର କରିବାରେ ଦୀର୍ଘକାଳୀନ ଭିତ୍ତିରେ ସହାୟତା ମିଳିବ । ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ସହିତ ସାରା ଦେଶରେ ବହୁ ପରିମାଣରେ ଖଣି ଓ ମାଲ ପରିବହନ ଦିଗରେ ସହାୟକ ହୋଇପାରିବ । କେବଳ ଓଡ଼ିଶା ଦେଶର ୧୪ରୁ ୧୫ଟି ରାଜ୍ୟକୁ ତାପଜ କୋଇଲା ପରିବହନ କରୁଛି । ପୂର୍ବାଞ୍ଚଳ କ୍ଷେତ୍ର ଦେଶର ବିକାଶ ପାଇଁ ବାହକ ଶକ୍ତି ଭାବେ କାର୍ଯ୍ୟ କରିଥାଏ । ଲଜିଷ୍ଟିକ୍ସ କ୍ଷେତ୍ରରେ ଦୃଢ଼ ଭବିଷ୍ୟୋନ୍ମୁଖି ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।"
ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା କହିଛନ୍ତି, " ଇସ୍ପାତ କ୍ଷେତ୍ର ପାଇଁ ଲଜିଷ୍ଟିକ୍ସ ଏକ ଜୀବନ ଓ ମୃତ୍ୟୁ ପରିସ୍ଥିତି ଭଳି । ଗୋଟିଏ ଟନ ଇସ୍ପାତ ଉତ୍ପାଦନ ଲାଗି ୪ ଟନ ସାମଗ୍ରୀ ପରିବହନ କରିବାକୁ ପଡ଼ିଥାଏ । ତେଣୁ ୧୨୦ ନିୟୁତ ଟନ ଇସ୍ପାତ ଉତ୍ପାଦନ ଲାଗି ୬୦୦ ନିୟୁତ ଟନ ସାମଗ୍ରୀକୁ ସାରା ଦେଶରେ ପରିବହନ କରାଯିବାର ଆବଶ୍ୟକତା ରହିଛି । ଇସ୍ପାତ କ୍ଷେତ୍ରରେ ମୋଟ ଉତ୍ପାଦନ ଖର୍ଚ୍ଚର ପ୍ରାୟ ୨୮ ପ୍ରତିଶତ ଲଜିଷ୍ଟିକ୍ସ ବାବଦରେ ଖର୍ଚ୍ଚ ହୋଇଥାଏ । ଯଦି ଆମକୁ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାର ଆବଶ୍ୟକତା ରହିଛି, ଆମକୁ ଲଜିଷ୍ଟିକ୍ସ ଖର୍ଚ୍ଚ ମଧ୍ୟ କମାଇବାକୁ ପଡ଼ିବ ।"
ଏହା ବି ପଢନ୍ତୁ- ଟ୍ରେନରେ ହଜିଲା ରେଳ ଅଧିକାରୀ ଝିଅଙ୍କ ଜୋତା, ଉଡିଲା କର୍ମଚାରୀଙ୍କ ନିଦ