ଭୁବନେଶ୍ବର:ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ସମ୍ବଲପୁର ଗସ୍ତ । ବିଭିନ୍ନ ପ୍ରକଳ୍ପ ସମୀକ୍ଷା କଲେ ମହାପ୍ରବନ୍ଧକ ମନୋଜ ଶର୍ମା । ହୀରାକୁଦ ରେଳ ଷ୍ଟେସନକୁ ପୁନଃ ବିକଶିତ କରାଯିବା ନେଇ ଆଲୋଚନା । ସରଲା ଷ୍ଟେସନରେ ମାଲବାହୀ ଟ୍ରେନର ୱାଗନ ରୁଟିନ୍ ଓଭର-ହାଉଲିଂ (ROH) ସହ ମାଲବାହୀ ଟ୍ରେନ୍ ରକ୍ଷଣାବେକ୍ଷଣ ସୁବିଧା ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ ପରାମର୍ଶ ଦେଇଛନ୍ତି ମହାପ୍ରବନ୍ଧକ।
ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି । ବିଶେଷ ଭାବରେ ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍, ରୁଟିନ୍ ଓଭର-ହାଉଲିଂ (ROH) ଏବଂ ମାଲବାହୀ ଟ୍ରେନ ଗୁଡ଼ିକର ରକ୍ଷଣାବେକ୍ଷଣ ସୁବିଧା ଆଦିକୁ ଗୁରୁତ୍ଵ ଦେଇଛନ୍ତି। ଏହାସହ କିଭଳି ଭାବରେ ହିରାକୁଦ ରେଳ ଷ୍ଟେସନର ପୁନଃ ବିକାଶ କରାଯିବ ସେନେଇ ଆଲୋଚନା କରାଯାଇଛି ।
ତେବେ ଏହିସବୁ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ କିଭଳି ଭାବରେ ଶୀଘ୍ର ଶେଷ ହେବ ସେନେଇ ରାଜ୍ୟ ସରକାରୀ କର୍ମଚାରୀଙ୍କ ସମେତ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବାକୁ ରେଳ ଅଧିକାରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସରଲା ଷ୍ଟେସନରେ ମାଲବାହୀ ଟ୍ରେନ ୱାଗନ୍ ଗୁଡିକର ରୁଟିନ୍ ଓଭର-ହାଉଲିଂ (ROH) ସୁବିଧା ପାଇଁ ପ୍ରୋଜେକ୍ଟ 2017-18 ବର୍ଷରେ ଅନୁମୋଦନ କରାଯାଇଥିଲା । ଏହାସହ ମାନେଶ୍ଵର ଷ୍ଟେସନରେ ଏହାର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପକୁ ସରଲା ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ପ୍ରକଳ୍ପ ପାଇଁ 149.37 କୋଟି ଟଙ୍କା ବ୍ୟୟ ଆକଳନରେ ଅନୁମୋଦନ କରାଯାଇଥିଲା ।