ଭୁବନେଶ୍ବର:ଡ୍ରାଇଭରଙ୍କର ବିଭିନ୍ନ ଦାବିକୁ ନେଇ ରାଜ୍ୟ ସରକାର ଓ ଡ୍ରାଇଭର ଏକତା ମହାମଞ୍ଚ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକସେବା ଭବନରେ ପରିବହନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ଗୁରୁତ୍ବପୂର୍ଣ୍ଣ ବୈଠକ । ଘୋଷଣା ଅନୁସାରେ ଡ୍ରାଇଭରଙ୍କର ବିଭିନ୍ନ ଦାବି ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ଜଣାପଡିଛି ।
ଖୁବଶୀଘ୍ର ରାଜ୍ୟରେ ଗଠନ ହେବ ଡ୍ରାଇଭର କଲ୍ୟାଣ ବୋର୍ଡ । ଡ୍ରାଇଭର କଲ୍ୟାଣ ବୋର୍ଡର ରୂପରେଖ କଣ ହେବ, ବୋର୍ଡରେ କିଏ ସଦସ୍ୟ ରହିବେ, ତାହା ପରିବହନ ବିଭାଗ ସ୍ଥିର କରିବ । ଏନେଇ ଏହି ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଏହା ଡ୍ରାଇଭର ସଂଘ ପାଇଁ ଏକ ଖୁସି ଖବର ନିଶ୍ଚିତ । ମେ’ ମାସ ପ୍ରଥମ ସପ୍ତାହରେ ଦାବି ପୂରଣ ନେଇ ଡ୍ରାଇଭର ମହାମଞ୍ଚକୁ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ମିଳିଛି । ଧାର୍ଯ୍ୟ ସମୟ ପୂର୍ବରୁ ଦାବି ପୂରଣ ହେବା ନେଇ ମଧ୍ୟ ଡ୍ରାଇଭର ସଂଘ ଆଶାବାଦୀ ଅଛନ୍ତି । ଏହାସହ ଛୁଟି ସତ୍ତ୍ୱେ ଡ୍ରାଇଭରଙ୍କ ହିତ ପାଇଁ ବୈଠକ କରିଥିବାରୁ ରାଜ୍ୟ ସରକାରଙ୍କୁ ସଂଘ ଧନ୍ୟବାଦ ଜଣାଇଛନ୍ତି । 3 ମାସ ମଧ୍ୟରେ ଦାବି ପୂରଣ ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପୂର୍ବରୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି ।