ଭୁବନେଶ୍ବର:ରାଜଧାନୀରେ ଟ୍ରେନରେ ହେଉଛି ସୁନା ଚୋରା ଚାଲାଣ । ଟିକସ ଫାଙ୍କିବାକୁ ଗଳାବାଟ ଆପଣାଉଛନ୍ତି ବ୍ୟବସାୟୀ । ଅନ୍ୟ ରାଜ୍ୟରୁ ଟ୍ରେନରେ ସୁନା ଆଣୁଛନ୍ତି । ମଙ୍ଗଳବାର ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରୁ ବିପୁଳ ପରିମାଣର ସୁନା ଅଳଙ୍କାର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(DRI) ହାତରେ ଧରାପଡିବା ପରେ ଏହି ଘଟଣା ପଦାକୁ ଆସିଛି । ଜଣେ ବ୍ୟକ୍ତି ଗୋଟିଏ ବ୍ୟାଗରେ ଏହିସବୁ ସୁନା ଅଳଙ୍କାର ନେଇ ଟ୍ରେନ ଯୋଗେ ଆସିଥିଲା । ଆଉ ଜଣେ ବ୍ୟକ୍ତି ତାଙ୍କ ଠାରୁ ଅଳଙ୍କାର ନେଇ ଷ୍ଟେସନରୁ ବାହାରି ଯାଉଥିବା ବେଳେ ଧରିଥିଲା ଡିଆରଆଇ । ବ୍ୟାଗ୍ ଯାଞ୍ଚ କରାଯିବାରୁ ଏକ ପ୍ଲାଷ୍ଟକ ଡବା ଭିତରେ ସୁନା କାନଫୁଲ, ମୁଦି ଓ ହାତ ଚୁଡି ଓ କିଛି ଲକେଟ୍ ଭଳି ଅଳଙ୍କାର ମିଳିଥିଲା । ଏଥିରେ କୌଣସି ହଲମାର୍କ ଥିବାର ମଧ୍ୟ ଦେଖାଯାଇନଥିଲା । ଜବତ ଅଳଙ୍କାରର ପରିମାଣ କେତେ ସେନେଇ କୌଣସି ସୂଚନା ନଥିବା ବେଳେ ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।
ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସେ ଏହି ସୁନା ଅଳଙ୍କାର ବିକ୍ରୟ ପାଇଁ ନିର୍ଦ୍ଧିଷ୍ଟ ଦୋକାନକୁ ନେଉଥିବା ଜଣାପଡିଛି । ତେବେ ଏନେଇ ଡିଆରଆଇ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ । ପୂର୍ବରୁ ମଧ୍ୟ ଭୁବନେଶ୍ବର ଷ୍ଟେସନରୁ ସୁନା ଧରାପଡିଥିଲା । ତେଣୁ ଏଥର ନୂଆ ଟ୍ରିକରେ ଏହାର ଚାଲାଣ କରାଯାଉଥିଲା । ଜଣେ ବ୍ୟକ୍ତି ଟ୍ରେନ ଯୋଗ ଅଳଙ୍କାର ଗୁଡିକ ଆଣି ଆଉ ଜଣେ ବ୍ୟକ୍ତିଙ୍କୁ ଷ୍ଟେସନରେ ଡେଲିଭର କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ଏତେ ପରିମାଣର ସୁନା କେଉଁଠୁ ଆଣିଲେ ଓ କିପରି ଆଣିଲେ ସେ ସମ୍ପର୍କରେ ପଚରାଉଚରା ଜାରି ରହିଛି । ସେ ଏହି ଅଳଙ୍କାରର ମନିରିସିପ୍ଟ ବା ଇ ୱେ ବିଲ୍ କିମ୍ବା କୌଣସି କାଗଜପତ୍ର ଦେଖାଇ ପାରିନାହାନ୍ତି ।
ଏହାମଧ୍ୟ ପଢନ୍ତୁ: ASI Attacked By Drunkards: ବିଧାୟକଙ୍କ ଗାଁରେ ପୋଲିସକୁ ମାଡ଼ ମାରିଲେ ମଦୁଆ