ଭୁବନେଶ୍ବର: ମାଣ୍ଡିଆ ବର୍ତ୍ତମାନ ସମୟରେ ଗରିବ ଲୋକଙ୍କ ଖାଦ୍ୟ ହୋଇ ରହିନାହିଁ । ଏହାକୁ ଏବେ ଧନୀ ଶ୍ରେଣୀର ଲୋକ ପ୍ରମୁଖ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି । ତେବେ ଆମେରିକାରେ ଚାକିରି ଛାଡି ମାଣ୍ଡିଆ ପାଇଁ ଜୀବନ ବିତାଉଥିବା ଡାକ୍ତର ହେଉଛନ୍ତି ଖାଦର ଭାଲ୍ଲୀ । ତାଙ୍କୁ ଭାରତର ମିଲେଟ୍ ମ୍ୟାନର ଆଖ୍ୟା ମଧ୍ୟ ଦିଆଯାଇଛି । ସେ ଖାଦ୍ୟଶସ୍ୟର ଉପକାରିତା ବଖାଣିବା ସହ ମାଣ୍ଡିଆର ଉପକାରିତା ବୁଝାଇଛନ୍ତି ।
ମାଣ୍ଡିଆର ପ୍ରଚାର ପ୍ରସାର କରି ବନିଗଲେ ମିଲେଟ୍ ମ୍ୟାନ୍ । ଡାକ୍ତର ଖାଦର ଭାଲ୍ଲୀ ଭାତ କିମ୍ବା ରୁଟି ଖାଆନ୍ତି ନାହିଁ । ତାଙ୍କ କହିବା ଅନୁସାରେ ମାଣ୍ଡିଆ ଖାଇବା ଦ୍ବାରା ଡାଇବେଟିସ୍ଠାରୁ ଆରମ୍ଭ କରି କ୍ୟାନସର ଭଳି ବଡ଼ ବଡ଼ ରୋଗ ଭଲ ହୋଇପାରିବ । ମାଣ୍ଡିଆ ଖାଉଥିବାରୁ ୨୫ ବର୍ଷ ହେବ ତାଙ୍କୁ କୌଣସି ରୋଗ ହୋଇନାହିଁ । ତାଙ୍କ ପାଖକୁ କୌଣସି ରୋଗୀ ଆସିଲେ ସେ ତାଙ୍କ ମେଡିସନ୍ ବଦଳରେ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଇଥାନ୍ତି । ସେ ମଧ୍ୟ କହିଛନ୍ତି ଯେ, ସୁସ୍ଥ ଜୀବନଯାପନ କରିବା ପାଇଁ ଚିନ୍ତା କରିବା ସହ ଏହା ଉପରେ କାମ ମଧ୍ୟ କରୁଛନ୍ତି । ସେଥିପାଇଁ ବିଭିନ୍ନ ସ୍ଥାନରେ ଯାଇ ମାଣ୍ଡିଆ ଖାଇବାକୁ ପରାମର୍ଶ ଦେଉଛନ୍ତି । ହେଲେ ଅନେକ ଲୋକ ଏହାକୁ ଗୁରୁତ୍ଵ ଦେଉଥିବା ବେଳେ ଅନେକ ମଧ୍ୟ ଏହାକୁ ନବୁଝି ବିଭିନ୍ନ କଥା କହୁଥିବା କହିଛନ୍ତି ମିଲେଟ ମ୍ୟାନ ଖାଦର ଭାଲ୍ଲୀ । ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମାଣ୍ଡିଆରେ ପ୍ରସ୍ତୁତ ଲଡ଼ୁ, କେକ୍, ଆରିସା ପିଠା, ବରା, ଆଳୁଚପ, ସିଙ୍ଗଡ଼ା, ଗୁପଚୁପ, ଖିରି ଭଳି ଖାଦ୍ୟ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଯୋଗଦେଇ ପ୍ରତିକ୍ରିୟା ରଖିଛନ୍ତି ମିଲେଟ୍ ମ୍ୟାନ ଖାଦର ଭାଲ୍ଲୀ ।