ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ଆତଙ୍କ । ଚିନ୍ତା ବଢ଼ାଇଛି କୁକୁରା କାମୁଡ଼ା । କୁକୁର କାମୁଡାର ଶିକାର ହେଉଛନ୍ତି ଶହ ଶହ ଲୋକ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କୁକୁର କାମୁଡାର ଶିକାର ହେଉଛନ୍ତି । ରାସ୍ତାରେ ଯିବା ଆସିବା କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା । ସେପଟେ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ରାଜଧାନୀରେ ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ତେବେ ଗତ କିଛି ମାସ ଭିତରେ କୁକୁର କାମୁଡା ରୋଗୀଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ୨୦୦ ରୁ ୨୫୦ ଅଧିକ ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏହାରି ମଧ୍ୟରେ ରୋଗୀ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ ଅଧ୍ୟକ୍ଷ ଧନଞ୍ଜୟ ଦାସ କହିଛନ୍ତି, "ରାଜ୍ୟରେ ଧିରେ ଧିରେ ବୁଲା କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ସମୟରେ କୁକୁରଙ୍କ ସଂଖ୍ୟା ବଢୁଥିବାରୁ କୁକୁର କାମୁଡା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି । କୁକୁରମାନଙ୍କର ଖାଦ୍ଯ ଅଭାବ ରହୁଛି । ଅନେକ ସମୟରେ ମଧ୍ୟ କିଛି ଲୋକ, ବିଶେଷ ଭାବରେ କୁକୁରମାନଙ୍କୁ ଗରମ ପାଣି ଫୋପାଡ଼ିବା ସହ ଆକ୍ରମଣ କରୁଛନ୍ତି । ଯାହା ଫଳରେ କୁକୁର ଲୋକମାନଙ୍କୁ ପାଲଟା ଆକ୍ରମଣ କରୁଛନ୍ତି ।"