ଭୁବନେଶ୍ବର:ପାରାଦ୍ବୀପ ବନ୍ଦରରେ ଲାଞ୍ଚ ନେବାବେଳେ ଗିରଫ ହେଲେ ଡାକ୍ତର । ଲାଞ୍ଚ ନେବାବେଳେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ରେଡ ହ୍ୟାଣ୍ଡେଡ ଧରିଛି ସିବିଆଇ । ଏହି ଡାକ୍ତରଙ୍କର ୪ଟି ସ୍ଥାନରେ ରେଡ କରିଥିଲା ସିବିଆଇ । ଚଢାଉରେ ନଗଦ ୧୭ ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ୨୦ ହଜାର ୫୫୮ ଡଲାରର ବିଦେଶୀ ମୁଦ୍ରା ଜବତ କରାଯାଇଛି । ଭାରତୀୟ ମୁଦ୍ରାରେ ଏହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ୧୨ ହଜାର ଟଙ୍କା ହେବ । ଏହାସହ କିଛି ଗୁରୁତ୍ଵପୂର୍ଣ୍ଣ କାଗଜ ମଧ୍ୟ ଜବତ କରାଯାଇଛି । ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ପରେ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ସିବିଆଇ ଆବେଦନ କରିଥିବାବେଳେ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ଆସନ୍ତା ଦୁଇ ଦିନ ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯିବ ।
ଏନେଇ ସିବିଆଇ ପକ୍ଷରୁ ଦିଆଯାଇଥିବା ସୁଚନା ଅନୁସାରେ, ପାରାଦ୍ବୀପ ପୋଷ୍ଟରେ ହେଲଥ ଅଫିସର ଭାବେ କାମ କରନ୍ତି ରାଜେନ୍ଦ୍ର ନାରାୟଣ । କିନ୍ତୁ ପୋର୍ଟ ହେଲଥ ଅରଗାନେଇଜେସନ ସଂସ୍ଥାରେ କାର୍ଯ୍ୟ କରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଜଣେ ଅଭିଯୋଗକାରୀ ଅଭିଯୋଗ ଆଣିଥିଲେ ଯେ, ତାଙ୍କ କମ୍ପାନୀରେ ଚାକିରି କରୁଥିବା ଜଣେ କର୍ମଚାରୀଙ୍କୁ ପୋର୍ଟ ହେଲଥ ମେଡିକାଲ କ୍ଲିୟରାନ୍ସ ଦେବା ପାଇଁ ୫୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ରାଜେନ୍ଦ୍ର । ଏନେଇ ସିବିଆଇ ନିକଟରେ ଅଭିଯୋଗ ପରେ ଯୋଜନା ମୁତାବକ ୫୪ହଜାର ଟଙ୍କା ଲାଞ୍ଚ ନେଉଥିବା ସନୟରେ ସିବିଆଇ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା ।