ଭୁବନେଶ୍ବର: ଲୋୟର ପିଏମଜିରେ ଡିଏମଡି (Duchenne muscular dystrophy) ରୋଗୀଙ୍କ ପ୍ରତିବାଦ । ଆମର ବି ବଞ୍ଚିବାର ଅଧିକାର ଅଛି, ହେ ସରକାର ଆମକୁ ବଞ୍ଚାଇ ଦିଅ । ଏଭଳି ଆକୁଳ ନିବେଦନ କରିଛନ୍ତି ଡ଼ିଏମଡି ରୋଗରେ ପୀଡିତ କୁନି କୁନି ଶିଶୁ । ହାତରେ ପ୍ଲା କାର୍ଡ ଧରି ୫୦ ରୁ ଅଧିକ ପିଲା ଲୋୟର ପିଏମଜିରେ ଚାଲି ଚାଲି ପ୍ରତିବାଦ କରିଛନ୍ତି । ଡ଼ିଏମଡି ଭଳି ପ୍ରାଣ ଘାତି ରୋଗର ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ରାଜ୍ୟର ବହୁ କୋଣ ଅନୁକୋଣରୁ ଡ଼ିଏମଡି ରୋଗରେ ପୀଡିତ ଶିଶୁ ମାନେ ଧାରଣାରେ ଭୁବନେଶ୍ବର ପିଏମଜିରେ ବସିଥିଲେ ।
ଖାଲି ସେମାନେ ନୁହନ୍ତି ସେମାନଙ୍କର ଅଭିଵାବକମାନେ ମଧ୍ୟ ଧାରଣାରେ ବସିବା ସହ ଏହି ରୋଗର ନିରାକରଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଉଭୟ ମା ଓ ବାପା କୋହଭରା କଣ୍ଠରେ କାନ୍ଦି କାନ୍ଦି ଡ଼ିଏମଡି ଭଳି ପ୍ରାଣଘାତି ରୋଗରୁ ନିଜ ସନ୍ତାନଙ୍କୁ ବଞ୍ଚାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ଡ଼ିଏମଡି ଏକ ଆନୁବଂଶିକ ରୋଗ ଯାହା ପିଲାମାନଙ୍କର ମାଂସପେଶୀକୁ ବୟସ ବଢିବା ସହ ଧୀରେ ଧୀରେ ଦୁର୍ବଳ କରିଦିଏ । ଏହି ରୋଗରେ ଆକ୍ରାନ୍ତ ପିଲାମାନେ ୧୦ ରୁ ୧୨ ବର୍ଷ ବୟସରୁ ହୁଇଲ ଚେୟାର ଉପରେ ନିର୍ଭର କରି ବଞ୍ଚିଥାନ୍ତି । ଏହା ଦ୍ବାରା ପିଲାମାନଙ୍କର ହାତ ଗୋଡ଼ରେ ମାଂସପେଶୀ ଦୁର୍ବଳ ହେବା କରଣରୁ ଚାଲୁଥିବା ଅବସ୍ଥାରେ ବାରମ୍ବାର ପଡିଯିବା ସହ ଖାଇବା ପିଇବା ବା କୌଣସି କାର୍ଯ୍ୟ କରିବା ପାଇଁ ସେମାନେ ଅସମର୍ଥ ହୋଇଯାନ୍ତି । ଯାହା ଦ୍ବାରା ସ୍କୁଲ ଯିବା, ପାଠ ପଢିବା ଓ ଖେଳିବା ବି ସେମାନଙ୍କ ପାଇଁ ଅସମ୍ଭବ ହୋଇପଡେ । ଏହି ପିଲାଙ୍କର ଯତ୍ନ ନେବା ପାଇଁ ପରିବାର ଲୋକେ ସର୍ବଦା ଜାଗ୍ରତ ରହିଥିବା ବେଳେ ଏଭଳି ଏକ ବ୍ୟୟ ବହୁଳ ଚିକିତ୍ସା ନେଇ ପରିବାର ପକ୍ଷରେ କଷ୍ଟସାଧ୍ୟ ହେଇଯାଉଛି । ଏଥିପାଇଁ ଭଲ ଚିକିତ୍ସା ସହିତ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ପରିବାର ।