ଭୁବନେଶ୍ବର:ସୁପରିଚିତ ଡିଜେ ଷ୍ଟାର ଆଜେକ୍ସ ଓରଫ ଅକ୍ଷୟ ମହାରଣାଙ୍କ ମୃତ୍ୟୁ ନେଇ ବଢୁଛି ସସ୍ପେନ୍ସ । ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ପରିବାର ଲୋକେ । ଅକ୍ଷୟ ବ୍ଲାକମେଲିଂର ଶିକାର ହେଉଥିବା ପରିବାର ତଥା ବନ୍ଧୁମାନେ କହିଛନ୍ତି । ଲୋକ ଲଜ୍ଜା ଭୟରେ ସେ ଜୀବନ ଯାଇଥିବା ପରିବାର ଲୋକ ଓ ସାଙ୍ଗସାଥୀ ଅଭିଯୋଗ କରିଛନ୍ତି ।
ଅକ୍ଷୟଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ତ୍ରିକୋଣୀୟ ପ୍ରେମରୁ ଏଭଳି ଘଟଣା ଘଟିଛି । ଜଣେ ଯୁବତୀ ଅକ୍ଷୟଙ୍କୁ ବାରମ୍ବାର ଧମକ ଦେଉଥିଲେ । ଯୁବତୀଙ୍କ ପାଖରେ ଅକ୍ଷୟଙ୍କ କିଛି ଫଟୋ ଏବଂ ଭିଡ଼ିଓ ଥିଲା । ଯାହାକୁ ଭାଇରାଲ କରିଦେବେ ବୋଲି ସେ ବାରମ୍ବାର ଧମକ ଦେଉଥିଲେ । ଏଥିସହ ବାରମ୍ବାର ଟଙ୍କା ମଧ୍ୟ ମାଗୁଥିଲେ । ତାଙ୍କ ମୋବାଇଲ ମେସେଜ ଚାର୍ଟିଂରୁ ବି ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି । ବଦନାମ ହେବା ଭୟରେ ହୁଏତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କହିଛନ୍ତି ଅକ୍ଷୟଙ୍କ ବାପା ।
ଅନ୍ୟପଟେ ଅକ୍ଷୟଙ୍କ ବନ୍ଧୁ ଏହି ଘଟଣାକୁ ନେଇ ଖୁଲାସା କରିଛନ୍ତି । ଏକ ଘରୋଇ କଲେଜର ଛାତ୍ରୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଅକ୍ଷୟ । କିନ୍ତୁ ଗତ ଚାରିମାସ ହେବ ସେମାନଙ୍କ ସମ୍ପର୍କରେ ବିବାଦ ଦେଖିବାକୁ ମିଳିଥିଲା । ଯୁବତୀ ଜଣକ ଅନ୍ୟ ଏକ ପୁରୁଷଙ୍କ ସହ ସମ୍ପର୍କରେ ଥିବା ସେ ଜାଣିବାକୁ ପାଇଥିଲେ । ସେମାନଙ୍କ ପାଖରେ କୌଣସି ଫଟୋ ଏବଂ ଭିଡ଼ିଓ ଥିବାରୁ ଅକ୍ଷୟଙ୍କୁ ବାରମ୍ବାର ବ୍ଲାକମେଲିଂ କରୁଥିଲେ । ଅନେକ ସମୟରେ ତାଙ୍କୁ ଟଙ୍କା ମାଗୁଥିଲେ । ଟଙ୍କା ନଦେଲେ ଫଟୋ ଭାଇରାଲ କରିଦେବାକୁ ଧମକ ମଧ୍ୟ ଦେଉଥିଲେ । ଯାହାକୁ ନେଇ ସେ ମାନସିକ ଚାପରେ ଥିଲେ । ଲୋକଲଜ୍ଜା ଭୟରେ ସେ ଆତ୍ମହତ୍ୟା ଭଳି ଚରମ ପନ୍ଥା ଆପଣାଇବାକୁ ବାଧ୍ୟ ହୋଇଥିବା ବନ୍ଧୁ ରାହୁଲ କହିଛନ୍ତି । ଏହି ଘଟଣା ନେଇ ତଦନ୍ତ ଆରମ୍ଭ କରିଥିବାବେଳେ ଆଜେକ୍ସ ଓରଫ ଅକ୍ଷୟଙ୍କ ମୋବାଇଲ ଓ ଲାପଟପକୁ ପୋଲିସକୁ ହସ୍ତାନ୍ତର କରାଯାଇଛି ।