ପୁରୀ/ଭୁବନେଶ୍ବର:ନୂଆବର୍ଷ ବା ଆସନ୍ତା ଜାନୁଆରୀ 1 ତାରିଖରୁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧି ଯିବାକୁ ନିର୍ଦ୍ଦେଶନାମା ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଏହାପରେ ଶାଳୀନତାର ସଂଜ୍ଞାକୁ ନେଇ ଉଠିଛି ପ୍ରଶ୍ନ । ଏବେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । ପୋଷାକ ସହିତ ଭକ୍ତିର କଣ ରହିଛି ସମ୍ପର୍କ ? ଏହି ପ୍ରଶ୍ନ ମଧ୍ୟ ଉଠିବା ସ୍ବାଭାବିକ । ଖାଲି ପୋଷାକରେ ଶାଳୀନତା ଆଣିଲେ ହେବ ନାହିଁ ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ଶୃଙ୍ଖଳିତ ଢଙ୍ଗରେ କରିବାକୁ ଉଠିଛି ଦାବି । ନୀତିକାନ୍ତିରେ ବିଭ୍ରାଟ ଯୋଗୁଁ ଅନେକ ସମୟରେ ମହାପ୍ରଭୁ ଉପାସରେ ରହୁଛନ୍ତି । ତେଣୁ ଏଥିରେ ଶୃଙ୍ଖଳା ଆସିବା ଦରକାର ବୋଲି କହିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ।
ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ କହିଛନ୍ତି, "ପ୍ରଥମେ ମହାପ୍ରଭୁଙ୍କ ନିତିକାନ୍ତି ଶୃଙ୍ଖଳିତ କରନ୍ତୁ । ତାପରେ ପୋଷାକରେ ଶାଳିନତା କଥା ଉଠାଇବେ । ନବକଳେବର ସମୟରେ ନୀତିକାନ୍ତିରେ ବିଭ୍ରାଟ ହୋଇଥିଲା । ଯେଉଁ ନୀତିକାନ୍ତି ନିଷାର୍ଦ୍ଧ ରାତିରେ ହେବା କଥା ତାହା ଦିନ ଦ୍ବିପହରରେ ହେଲା । ନୀତିକାନ୍ତିରେ ବିଭ୍ରାଟ ଯୋଗୁଁ ଅନେକ ସମୟରେ ମହାପ୍ରଭୁ ଉପାସରେ ରହୁଛନ୍ତି । ତେଣୁ ଏଥିରେ ଶୃଙ୍ଖଳା ଆସିବା ଦରକାର । କେବଳ ଯେ ପୋଷାକ ପରିବର୍ତ୍ତନ କରିଦେଲେ ଶାଳୀନତା ଆସିଯିବ, ଏହା ଭାବିବା ଭୁଲ । ଯଦିଓ ଏପରି ପଦକ୍ଷେପକୁ ସ୍ବାଗତ କରାଯାଉଛି, କିନ୍ତୁ ଏହା ଏକ ତୋଗଲକି ଚିନ୍ତାଧାରା । ଏପରି ଚିନ୍ତାଧାରା ଦ୍ବାରା ଶୃଙ୍ଖଳାରେ ପରିବର୍ତ୍ତନ ଆସିବ ନାହିଁ, ବରଂ ସେବାୟତମାନେ ଚିନ୍ତା କରିବା ଦରକାର ସେମାନଙ୍କ ବ୍ୟବହାରରେ କିପରି ପରିବର୍ତ୍ତନ ଆସିବ । ମନ୍ଦିରର ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ।"
ଏହା ବି ପଢନ୍ତୁ- ଶ୍ରୀମନ୍ଦିରକୁ ପ୍ରଵେଶ ବେଳେ ଭକ୍ତ ପିନ୍ଧିବେ ଶାଳୀନତା ପୋଷାକ, ନୂଆବର୍ଷରୁ କଡ଼ାକଡ଼ି ହେବ ନିୟମ
ସେପଟେ ଏହି ନିଷ୍ପତ୍ତିକୁ ଭକ୍ତ ଓ ସେବାୟତ ମହଲରେ ସ୍ଵାଗତ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି, "ଏହାଦ୍ବାରା ଜଗନ୍ନାଥ ସଂସ୍କୃତି ପରମ୍ପରା ବଜାୟ ରହିବ । ଶ୍ରୀମନ୍ଦିର ଭିତରେ ଆଧ୍ୟାତ୍ମିକ ବାତାବରଣ ବଜାୟ ରହିବ । ଭକ୍ତମାନେ ଏହି ନିଷ୍ପତ୍ତିକୁ ମାନିବେ ବୋଲି ଆମର ଆଶା । ଏହି ନିୟମକୁ ଅଧିକ ପ୍ରଚାର ପ୍ରସାର ଲାଗି ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ବ ବହନ କରିବା ଉଚିତ । ଓଡ଼ିଶା ବାହାରେ ମଧ୍ଯ ଏହାର ପ୍ରଚାର ପ୍ରସାର ପାଇଁ ଜାତୀୟ ଗଣମାଧ୍ୟମରେ ଏହା ପ୍ରଚାର ହେବା ଉଚିତ । ଏହାସହ ଶ୍ରୀମନ୍ଦିର ନିକଟରେ ପୋଷାକ ବଦଳାଇବା ଗୃହ ନିର୍ମାଣର ଆବଶ୍ୟକ । ଯଦି କେହି ଭକ୍ତ ଆଧୁନିକ ପୋଷାକ ପିନ୍ଧି ଆସୁଛନ୍ତି ସେହି ପୋଷାକ ପରିବର୍ତ୍ତନ ଗୃହରେ ପାରମ୍ପାରିକ ପୋଷାକ ପିନ୍ଧି ଶ୍ରୀମନ୍ଦିରକୁ ଯିବେ ।"