ଭୁବନେଶ୍ବର:ଆଖିରେ ଆଖିଏ ଲୁହ, ଛାତିରେ କୋହ । ହାତରେ ନିଖୋଜ ପୁଅର ଫଟୋ ଧରି ଠିଆ ହୋଇଛନ୍ତି ଅସହାୟ ବାପାମାଆ । ନିଖୋଜ ପୁଅକୁ ଖୋଜିବାକୁ ଭୁବନେଶ୍ୱରର ପ୍ରତି ଗଳି କନ୍ଦିରେ ଫଟୋ ଦେଖାଇ ଏଣେତେଣେ ବୁଲୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ପୁଅର କୌଣସି ଖୋଜ ଖବର ମିଳିନି । ପୁଅ ନା ପାଠ ପଢ଼ିଛି ନା ଦି ଅକ୍ଷର ଲେଖି ଜାଣିଛି । ନା ସେ କଥା କହିପାରନ୍ତି ନା ଶୁଣି ପାରନ୍ତି । ଗତ ୬ ଦିନ ହେବ ଘରୁ ବାହାରି ଆସି କେଉଁଆଡ଼େ ଚାଲିଯାଇଛି ପୁଅ । ନିଖୋଜ ପୁଅକୁ ଖୋଜିଖୋଜି ଗଞ୍ଜାମରୁ ଆସି କଟକ ଏବେ ଭୁବନେଶ୍ୱରରେ ବୁଲୁଛନ୍ତି ଅସହାୟ ବାପାମାଆ ।
ପରିବାର ଲୋକଙ୍କ ସୂଚନା ମୁତାବକ, ନିଖୋଜ ଥିବା ବାଳକ ଜଣକ ୧୭ ବର୍ଷୀୟ ବଳିଆ ଦୋରା । ଗଞ୍ଜାମ ଜିଲ୍ଲାର ସୁମୁଦୁଳ ବେଗୁନା ପଡ଼ା ନିବାସୀ କଏତି ଦୋରା ଓ ରଘୁ ଦୋରାଙ୍କ ପୁଅ । ବାପା ଦିନ ମଜୁରିଆ ଅଟନ୍ତି ଏବଂ ବଡ଼ ପୁଅ ବାହାର ରାଜ୍ୟରେ ଶ୍ରମିକ ଭାବେ କାମ କରୁଛନ୍ତୁ । ଗତ ୬ଦିନ ହେବ ବଳିଆ କେଉଁଆଡ଼େ ଚାଲି ଯାଇଛନ୍ତି । ଏନେଇ ତାଙ୍କ ମାଆ କହିଛନ୍ତି, "ନିଖୋଜ ଦିନ ମୋତେ ବଟିକା ଦେଇ ଘରୁ ପଳେଇ ଆସିଥିଲେ । ଟ୍ରେନରେ ବସି କଟକରେ ପହଞ୍ଚିବା ଗାଁ ଲୋକ ଦେଖିଥିଲେ । ତା' ପରଠୁ ପୁଅର କୌଣସି ଖୋଜ ଖବର ମିଳୁନି । ସେ ପିଲାଟି ଦିନରୁ ମୁକ ଓ ବଧିର ଥିବାରୁ ପାଠ ପଢ଼ିନାହାନ୍ତି । ତେଣୁ କିଭଳି ଓ କେଉଁ ଅବସ୍ଥାରେ ଥିବେ । କଥା କହିପାରୁ ନଥିବାରୁ ଘର ଠିକଣା ମଧ୍ୟ କହିପାରିବେ ନାହିଁ । ତେଣୁ ଲୋକଙ୍କୁ ଫଟୋ ଦେଖାଇ ପୁଅକୁ ଖୋଜୁବାକୁ ଚେଷ୍ଟା କରୁଛୁ ।"