ଭୁବନେଶ୍ବର:ଓଡିଶାବାସୀଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ଭୁବନେଶ୍ୱର ବିମାନ ବନ୍ଦରରୁ ନର୍ଥ ଗୋଆକୁ ଉଡିବ ସିଧାସଳଖ ବିମାନ । ଏହି ବିମାନ ସେବା ସପ୍ତାହକୁ ୪ ଥର ବିମାନ ଉଡିବା ନେଇ ସୂଚନା ମିଳିଛି । ତେବେ ଏହି ବିମାନ ସେବା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ବିମାନ ୬E୩୧୭ ଭୁବନେଶ୍ୱରରୁ ନର୍ଥ ଗୋଆକୁ ସନ୍ଧ୍ୟା ୫ ଟା ୪୦ ସମୟରୁ ଛାଡ଼ି ନର୍ଥ ଗୋଆରେ ରାତି ୮ ଟା ୫ରେ ପହଞ୍ଚିବ ।
ସେହିପରି ନର୍ଥ ଗୋଆ ଠାରୁ ୬E୩୧୪ ଇଣ୍ଡିଗୋ ବିମାନ ଅପରାହ୍ନ ୩ ଟା ସମୟରୁ ଭୁବନେଶ୍ବରରୁ ଛାଡି ୫ ଟା ୧୦ ସମୟରେ ପହଞ୍ଚିବ। ଏହି ବିମାନ ସେବା ସପ୍ତାହକୁ ୪ ଥର ଉଡ଼ିବ । ତେବେ ଭୁବନେଶ୍ବରରୁ ନର୍ଥ ଗୋଆକୁ ବିମାନ ସେବା ଉଡିବା ଦ୍ବାରା ପର୍ଯ୍ୟଟନ କ୍ଷେତ୍ରରେ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଆକୃଷ୍ଠ ହେବେ। ଏନେଇ ଅଧିକ ମାତ୍ରାରେ ଭୁବନେଶ୍ୱରରୁ ଗୋଆ ଏବଂ ଗୋଆରୁ ଭୁବନେଶ୍ୱରକୁ ଯିବା ଆସିବା କରିବେ ପର୍ଯ୍ୟଟକ।
ସୂଚନା ଅନୁଯାୟୀ, ଆଗାମୀ ଦିନରେ ଏକ ନୂଆ ଏୟାର ଲାଇନ୍ସ ଏପ୍ରିଲ 17 ତାରିଖରୁ ଭୁବନେଶ୍ବରରୁ ଦୁଇଟି ସହରକୁ ଦୈନିକ ସେବା ଭାବରେ ଯୋଡିବ ବିମାନ । ସେହି ଦୁଇଟି ସହର ହେଲା ବେଙ୍ଗାଲୁରୁ ଏବଂ ପୁଣେ । ଭୁବନେଶ୍ବର ଠାରୁ ଅପରାହ୍ନ 2ଟା 5 ମିନିଟରେ ଛାଡି ବେଙ୍ଗାଲୁରୁରେ ପୂର୍ବାହ୍ନ 4ଟା 20 ମିନିଟରେ ପହଞ୍ଚିବ । ସେହିପରି ଭାବରେ ବେଙ୍ଗାଲୁରୁରୁ 5ଟା 40 ମିନିଟରେ ଛାଡି ଭୁବନେଶ୍ବରରେ ସକାଳ ୭ ଟା ୫୦ ମିନିଟରେ ପହଞ୍ଚିବ । ଅନ୍ୟପଟେ ଭୁବନେଶ୍ୱରରୁ ସକାଳ ୮ ଟା ୪୦ ମିନିଟରେ ଛାଡ଼ି ପୁଣେରେ ୧୦ ଟା ୫୦ ମିନିଟରେ ପହଞ୍ଚିବ । ସେହିଭଳି ଭାବରେ ପୁଣେରୁ ୧୧ ଟା ୨୫ ମିନିଟରେ ଛାଡ଼ି ଭୁବନେଶ୍ୱରରେ ମଧ୍ୟାହ୍ନ ୧ ଟା ୩୦ ମିନିଟରେ ପହଞ୍ଚିବ। ତେବେ ଏହି ବିମାନ ସେବା ଦୈନିକ ବେଙ୍ଗାଲୁରୁ ଏବଂ ପୁନେକୁ ଏପ୍ରିଲ ୧୭ ତାରିଖରୁ ଉଡାଣ କରିବ।
ପ୍ରକାଶ ଥାଉକି, ନିକଟରେ ଭୁବନେଶ୍ଵରରୁ ରଙ୍ଗେଇଲୁଣ୍ଡାକୁ ସିଧାସଳଖ ଭାବରେ ବିମାନ ସେବା ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ 9 ସିଟର ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ କରିଛି। ଏହି ବିମାନ ସେବା ପ୍ରତି ସପ୍ତାହରେ 2 ଥର ଲେଖାଏଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ବିମାନ ଚଳାଚଳ କରିବ। ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଷ୍ଟ୍ରିପର ଭିତ୍ତିଭୂମି ବୃଦ୍ଧି କରାଯିବ । ଏହା ପରେ ଅଧିକ ବିମାନ ଚଳାଚଳ ବୃଦ୍ଧି କରାଯିବା ନେଇ ନିଷ୍ପତ୍ତି କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର