ଭୁବନେଶ୍ବର:ପୂରଣ ହେବ ସ୍ବପ୍ନ । ବିଦେଶ ଯାତ୍ରାକୁ ମିଳିଲା ଗ୍ରୀନ ସିଗନାଲ । ଭୁବନେଶ୍ବରରୁ ଦୁବାଇକୁ ଉଡିବ ବିମାନ । ଆସନ୍ତା ୫ ତାରିଖରୁ ଭୁବନେଶ୍ୱର- ଦୁବାଇ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ବିମାନ ନଂ 6E 0027 ମାର୍ଚ୍ଚ୫ ତାରିଖରେ ସନ୍ଧ୍ୟା ୧୮.୦୫ ସମୟରେ ଭୁବନେଶ୍ୱରରୁ ଛାଡି ରାତି ପ୍ରାୟ ୯.୪୫ରେ ଦୁବାଇରେ ପହଞ୍ଚିବ। ସେହିଭଳି ଅନ୍ୟ ଏକ ବିମାନ ନଂ 6E 0028 ପୂର୍ବାହ୍ନ ୧୧.୨୫ ରେ ଦୁବାଇରୁ ଉଡାଣ ଭରି ସନ୍ଧ୍ୟା ୧୭.୦୫ ସମୟରେ ଭୁବନେଶ୍ୱରରେ ପହଞ୍ଚିବ।
କୋଲକାତାରୁ ଆସି ଓଡ଼ିଶାରେ ପହଞ୍ଚିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଐତିହାସିକ ଡାକୋଟା ବିମାନ । ଏବେ ଭୁବନେଶ୍ଵର ବିମାନବନ୍ଦରର ଷ୍ଟେଟ୍ ହ୍ୟାଙ୍ଗରରେ ରହିଥିବା ବେଳେ ବିମାନଟି ବହୁ ପୁରୁଣା ହୋଇଥିବାରୁ ଏହାର ରୂପରେଖରେ ପରିବର୍ତ୍ତନ କରାଯାଉଛି । ଏହାକୁ ରଖିବା ପାଇଁ ଏକ ସଂଗ୍ରହାଳୟ କରାଯାଉଥିବା ବେଳେ ଆସନ୍ତା ୫ ତାରିଖରେ ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏହାସହ ଭୁବନେଶ୍ବର ବିମାନବନ୍ଦରରୁ ଆନ୍ତର୍ଜାତିକ ବିମାନସେବା ଆରମ୍ଭ କରାଯିବ ।
ଗତ ବର୍ଷ ଡିସେମ୍ବରରେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କ୍କଙ୍ଗ୍କୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାକୁ ଓଡିଶା କ୍ୟାବିନେଟ ଅନୁମୋଦନ ଦେଇଥିଲା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, "186ଟି ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରିବ ଏବଂ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଟିକେଟ୍ ବିକ୍ରୟରୁ ଆଦାୟ ହେବାକୁ ଥିବା ରାଜସ୍ୱ ରାଜ୍ୟ ସରକାର ରଖିବେ ।"