ଓଡିଶା

odisha

ବଢିଲା ଖରିଫ ଫସଲର ଏମ୍‌ଏସ୍‌ପି, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

By

Published : Jun 8, 2023, 7:19 AM IST

ଖରିଫ ଫସଲ ପାଇଁ ଧାନ ସମେତ ବିଭିନ୍ନ ଖାଦ୍ୟଶସ୍ୟର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର । ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ

ଖରିଫ ଫସଲ ଖାଦ୍ୟଶସ୍ୟର ଏମଏସପି ବୃଦ୍ଧି
ଖରିଫ ଫସଲ ଖାଦ୍ୟଶସ୍ୟର ଏମଏସପି ବୃଦ୍ଧି

ଭୁବନେଶ୍ବର: ଖରିଫ ଫସଲ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ବଡ ଉପହାର ଦେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୩-୨୪ ବର୍ଷ ପାଇଁ ଧାନ ସମେତ ବିଭିନ୍ନ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଛି । ଧାନ କ୍ବିଣ୍ଟାଲ ପିଛା ଏମଏସପି ୧୪୩ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଅନ୍ୟ ଖାଦ୍ୟଶସ୍ୟର ମଧ୍ୟ ମୂଲ୍ୟ ବଢିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏହି ନିଷ୍ପତ୍ତି ଓଡ଼ିଶା ସମେତ ଭାରତ ବର୍ଷର ଚାଷୀ ଭାଇ-ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଯାହାଫଳରେ ଧାନର ଏମଏସପି ୨୦୪୦ ଟଙ୍କାରୁ ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି । ୨୦୧୪-୧୫ ବର୍ଷରେ ଧାନର ଏମଏସପି କ୍ବିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବାବେଳେ ୨୦୨୨-୨୩ ବର୍ଷରେ ୨୦୪୦ ଟଙ୍କା ଥିଲା । କ୍ରମାଗତ ଏମଏସପି ବୃଦ୍ଧି କରି ଚାଷୀଙ୍କୁ ସ୍ବାବଲମ୍ବୀ କରାଯାଉଛି । ଧାନ ସମେତ ବିଭିନ୍ନ ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତ୍ତି ଚାଷୀଙ୍କ ସମୃଦ୍ଧି, କଲ୍ୟାଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କୋଟି କୋଟି ଅନ୍ନଦାତାଙ୍କୁ ଲାଭ ଦେବାକୁ ଥିବା ଏହି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ଦିଗରେ ଆଉ ଏକ ପଦକ୍ଷେପ ।

ଏହାସହିତ ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜ ସ୍ବାଗତଯୋଗ୍ୟ । ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବା ପାଇଁ ବ୍ୟୟବରାଦ କରାଯିବ । ଏହାଦ୍ବାରା ସମଗ୍ର ଭାରତ ବର୍ଷରେ ଇଣ୍ଟରନେଟର ବ୍ୟାପକ ବ୍ୟବହାର ବଢିବ ଏବଂ ନୂଆ ସୁଯୋଗ ଓ ସମ୍ଭାବନା ତିଆରି ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ।

ଏହାମଧ୍ୟ ପଢନ୍ତୁ : Cabinet Decisions: ବଢିଲା ଧାନର ଏମଏସପି, ଲାଭାନ୍ବିତ ହେବେ ଚାଷୀ

ଏଠାରେ ଉଲ୍ଲେଖଯୋଗ୍ୟ, ଗତକାଲି କେନ୍ଦ୍ର କ୍ୟାବିନେଟରେ ଧାନର ଏମଏସପି ୭ ପ୍ରତିଶତ ବୃଦ୍ଧି କରାଯାଇଛି । ମୁଗ ଡାଲି ଉପରେ ୧୦.୪ ପ୍ରତିଶତ, ମୁଗଫଲି ଉପରେ ୯ ପ୍ରତିଶତ, ଜବାର, ବାଜରା, ରାଗୀ, ହରଡ, ଡାଲି, ସୋୟାବିନ, ସୂର୍ଯ୍ୟମୁଖୀ ମଞ୍ଜି ଉପରେ ଏମଏସପି ୬ରୁ ୭ ପ୍ରତିଶତ ବୃଦ୍ଧି ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details