ଭୁବନେଶ୍ବର:ରାଜ୍ୟରେ ବଢୁଛି ବନ୍ୟଜନ୍ତୁଙ୍କ ଶିକାର । ଦିନକୁ ଦିନ କମିବାରେ ଲାଗିଛି ବନ୍ୟପ୍ରାଣୀଙ୍କ ସଂଖ୍ୟା । ନିଜ ଲାଳସାରେ ବୁଡି ରହି ନଖ, ଦାନ୍ତ ପାଇଁ ପଶୁଙ୍କୁ ଶିକାର କରିବକୁ ପଛଉନାହିଁ ମଣିଷ । ତେବେ ଏପରି ଭାବରେ ଶିକାର ବୃଦ୍ଧି ପାଇଲେ ରାଜ୍ୟରୁ ଲୋପ ପାଇଯିବେ ହାତୀ, ବାଘ, ବଜ୍ରକାପ୍ତା ଭଳି ଅନେକ ବନ୍ୟପ୍ରାଣୀ । ଦିନକୁ ଦିନ ହାତୀମୃତ୍ୟୁ ମାମଲା ଚିନ୍ତାର କାରଣ ପାଲଟିଛି । କେତେବେଳେ ଶିକାର କରାଯାଉଛି ତ ଆଉ କେତେବେଳେ ବିଦ୍ୟୁତ ଆଘାତ ଦ୍ଵାରା ହାତୀଙ୍କର ମୃତ୍ୟୁ ଘଟୁଛି । ହାତୀ ହେଉଛି ଆମର ପରିବେଶ ସନ୍ତୁଳନ, ସାଂସ୍କୃତିକ ଐତିହ୍ୟ ଏବଂ ଓଡ଼ିଶାରର ସାମଗ୍ରିକ ପରିଚୟର ଅବିଚ୍ଛେଦ୍ୟ ଅଙ୍ଗ । ତେଣୁ ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଜଙ୍ଗଲ ପରିବେଶମନ୍ତ୍ରୀଙ୍କୁ ଚିଠି ଲେଖି ପଦକ୍ଷେପ ନେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ । ତେବେ ଚିଠିରେ ଉଲ୍ଲେଖ କରି କହିଛନ୍ତି, "ଓଡ଼ିଶାରେ ଦିନକୁ ଦିନ ହାତୀ ମୃତ୍ୟୁ ତଥା ହାତୀ-ମଣିଷ ସଂଘର୍ଷ ଆଜି ଆମ ପାଇଁ ସବୁଠାରୁ ବଡ଼ ଆହ୍ୱାନ ପାଲଟିଛି । ଗତ ଏକ ଦଶନ୍ଧି ମଧ୍ୟରେ ଓଡ଼ିଶାରେ ୭୮୪ଟି ହାତୀ ପ୍ରାଣ ହରାଇବା ଦୁର୍ଭାଗ୍ୟର ବିଷୟ । ଗତ ତିନି ବର୍ଷ ଭିତରେ ୨୪୫ଟି ହାତୀଙ୍କର ମୃତ୍ୟୁ ଘଟିଛି । ପ୍ରତିବର୍ଷ ହାରାହାରି ୮୦ଟି ହାତୀ ମୃତ୍ୟୁବରଣ କରୁଛନ୍ତି । ଚଳିତ ବର୍ଷ କେବଳ ମାର୍ଚ୍ଚ ମାସରେ ସାତଟି ହାତୀ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଅଧିକାଂଶ ହାତୀ ବିଦ୍ୟୁତ୍ ଆଘାତ, ରୋଗ ଅଥବା ଟ୍ରେନ, ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଶିକାର ହେବା ପରିତାପର ବିଷୟ ।" ହାତୀ ଓ ହଜାର ହଜାର ବନ୍ୟପ୍ରାଣୀଙ୍କର ମଧ୍ୟ ଏହିଭଳି ଅଭାବନୀୟ ମୃତ୍ୟୁ ଘଟୁଥିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।