ଭୁବନେଶ୍ବର: ରୋଜଗାର ମେଳା ଅଧୀନରେ ବିଭିନ୍ନ ସରକାରୀ ବିଭାଗ ଓ ଅନୁଷ୍ଠାନରେ ପ୍ରାୟ 71 ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର, ନିଯୁକ୍ତି ଦେବା ଓ ଆର୍ଥିକ ଦୃଷ୍ଟି କୋଣକୁ ସ୍ବଚ୍ଛଳ କରିବା ଦିଗରେ ଆଉ ପାଦେ ଆଗେଇଛି ଭାରତ। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ଵର ରେଲୱେ ଅଡିଟୋରିୟମ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୩୬ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପୂର୍ବତଟ ରେଳ ଅଧୀନରେ ଏହି ନିଯୁକ୍ତି ମେଳାରେ ସମୁଦାୟ ୨୬୯୭ ନବନିଯୁକ୍ତଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା। ଏହିକ୍ରମରେ ମୋଟ ୨୬୯୭ ନବନିଯୁକ୍ତଙ୍କ ମଧ୍ୟରୁ ୬୩୦ ଜଣଙ୍କୁ ମନ୍ତ୍ରୀଙ୍କ ଦ୍ୱାରା ଏବଂ ୨୦୬୭ ଜଣଙ୍କୁ ଇମେଲ ମାଧ୍ୟମରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ସେହିପରି ଆଜି ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରାୟ 71,000 ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନବ ନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଥିଲେ। ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଓ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।