ଭୁବନେଶ୍ବର: ଗୁଣ୍ଡାଗର୍ଦ୍ଦୀ ଆରମ୍ଭ କରିଛି ବିଜେପି । ପୂର୍ବରୁ ମିଛରେ ବିଭିନ୍ନ ଅପପ୍ରଚାର କରିଥିଲା ବିଜେପି । ସେଥିରେ ବିଫଳ ହେବା ପରେ ଗୁଣ୍ଡାଗର୍ଦ୍ଦୀ ଆରମ୍ଭ କରିଦେଇଛି ବିଜେପି । ବିଜେପି ଜାଣିଶୁଣି ସାଧାରଣ ଲୋକଙ୍କୁ ଧମକାଇବା ସହ ଲୋକଙ୍କ ପକେଟରୁ ଟଙ୍କା ଛଡାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଏନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (chief electoral officer) ଙ୍କ ନିକଟରେ ଫେରାଦ ହୋଇ ଅଭିଯୋଗ ବାଢିଛି ବିଜେଡିର ପ୍ରତିନିଧି ଦଳ ।
ଗୁଣ୍ଡାଗର୍ଦ୍ଦୀ ଆରମ୍ଭ କରିଛି ବିଜେପି, କାର୍ଯ୍ୟାନୁଷ୍ଠାନ ଦାବିରେ ସିଇଓଙ୍କୁ ଭେଟିଲା ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ନେତୃତ୍ୱରେ ସିଇଓଙ୍କ ନିକଟରେ ଦ୍ୱାରସ୍ଥ ହୋଇଛି ବିଜେଡି । ଦଳରେ ନେତ୍ରୀ ଲୋରା ମହାପାତ୍ର, ମଧୁସ୍ମିତା ନାୟକ, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ ପ୍ରମୁଖ ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ବିଜେଡି ଅଭିଯୋଗ କରିଛି ଯେ, ଧାମନଗର ନିର୍ବାଚନମଣ୍ଡଳୀ (Dhamnagar By Poll)ର କରଡା ପଞ୍ଚାୟତରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ବିଜେପି ଜୋର ଜବରଦସ୍ତ ଅଟକାଇଛି । ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ଛଡ଼ାଇ ନେଇଛନ୍ତି ବିଜେପି ନେତା ଓ କର୍ମୀ ।
ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି ପ୍ରଥମେ ଏକ ଫେକ ଅଡ଼ିଓ ଆଣି ଅଭିଯୋଗ କରିଥିଲେ । ସେ ଅଡ଼ିଓ କେବଳ ବିଜେପି ନେତା ଓ ବିଜେପି ଆଇଟି ସେଲ ଶୁଣିଥିବ । ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସଙ୍ଘବଦ୍ଧ ଭାବେ ଆକ୍ରମଣ କଲେ । ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବିଜେଡି କର୍ମୀଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନ ହାର ନିଶ୍ଚିତ ଜାଣି ସାରିବା ପରେ ବିଜେପି ଏଭଳି ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଛି । ସାଧାରଣ ଲୋକଙ୍କୁ ଧମକେଇବା ଆରମ୍ଭ କରିଦେଇଛି ବିଜେପି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଉଦ୍ଦେଶ୍ୟମୂଳକ ଭାବେ ବିଜେଡି କର୍ମୀଙ୍କୁ ଉତ୍ତେଜିତ କରିବା ଲାଗି ଅପ ଚେଷ୍ଟା କରୁଛି । ବିଜେପିର ଅପରାଧିକ କାର୍ଯ୍ୟକଳାପ ବଢୁଥିବାରୁ ସର୍ଭିଲାନ୍ସ ବଢାଇବାକୁ ବିଜେଡି ଆଜି ପୁନର୍ବାର ଦାବି କରିଛି । କରଡା ମାମଲାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି । ନିର୍ବାଚନ ଜିତିବାକୁ ଜାତୀୟ ଦଳ ଭାବେ ବିଜେପି ନିମ୍ନ ସ୍ତରକୁ ଖସିବା ବିଜେଡି ନିନ୍ଦା କରିଛି । ଅବାଧ ନିର୍ବାଚନ ଲାଗି ସିଇଓ ପଦକ୍ଷେପ ନେବାକୁ ବିଜେଡି ଦାବି କରିଛି ।
ଇଟିଭି ଭାରତ, ଭୁବନେଶ୍ବର