ଭୁବନେଶ୍ବର: କାର୍ତ୍ତିକ ପୂର୍ଣ୍ଣିମାରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ(Lunar Eclipse) । ଦେବନୀତି ପାଇଁ ସମୟ ନିର୍ଦ୍ଧାରଣ ହୋଇଛି । ଚନ୍ଦ୍ର ଗ୍ରହଣ ବିଧି ରକ୍ଷା ଲାଗି ଏଥର ଆଗୁଆ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ହୋଇଛି । କାର୍ତ୍ତିକ ମାସର ଶେଷ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ବିନ୍ଦୁ ସାଗରରେ ଡଙ୍ଗା ଭସାଇ ନୀତି ନିର୍ଘଣ୍ଟ ସମୟ ମଧ୍ୟରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ଚନ୍ଦ୍ର ଗ୍ରହଣ ପାଇଁ ଚଳିତ ବର୍ଷ ସମୟ ବିଧିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମହାପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ନୀତି କାନ୍ତି ସହ ଦେବନୀତି ସମ୍ପନ୍ନ ହୋଇଛି । ରାତି ୧୨ ଟାରୁ ମଙ୍ଗଳ ଆଳତୀ ହୋଇଥିବାବେଳେ ସକାଳ ୪ .୩୦ରେ ସମସ୍ତ ନୀତି ସମ୍ପନ୍ନ ହୋଇଥିଲା ।
ହଜାର ହଜାର ଭକ୍ତ ବାବାଙ୍କ ପୂଜାର୍ଚ୍ଚନା କରି ଦର୍ଶନ କରିଛନ୍ତି । ଏନେଇ ସେବାୟତ କହିଛନ୍ତି, "ଲିଙ୍ଗରାଜଙ୍କ ପରାଗର ସକାଳ ନୀତି ଶେଷ ହୋଇଛି । ମଧ୍ୟାହ୍ନରେ ମହାପ୍ରଭୁଙ୍କୁ ଗ୍ରହଣ ସ୍ନାନ କରାଯିବ । ସେହିପରି ଗ୍ରହଣର ସର୍ବ ମୋକ୍ଷ ହେଲା ପରେ ସନ୍ଧ୍ୟା ନୀତି ସହ ମହାପ୍ରଭୁଙ୍କ ବଡ ସିଂହର ବେଶ ହେବା ପରେ ମନ୍ଦିର ବନ୍ଦ କରାଯିବ । " ଅନ୍ୟପଟେ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଭିଡ ଯୋଗୁଁ କିଛି ଭକ୍ତ ଦର୍ଶନରୁ ବଞ୍ଚିତ ହେବାରୁ ନିରାଶ ଅନୁଭବ କରିଛନ୍ତି । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭୁବନେଶ୍ବରର ବିଭିନ୍ନ ଜଳାଶୟରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।