ଖୋର୍ଦ୍ଧା:ଆଜି ଶ୍ରାବଣ ମାସର ଶେଷ ସୋମବାର । ବୋଲ ବମ, ହର ହର ବମ । ଏହିପରି ଶିବ ଧ୍ୱନିରେ ପ୍ରକମ୍ପିତ ହେଉଛି ଚତୁଃର୍ଦିଗ । ମହାଦେବଙ୍କ ଆରାଧନା ପାଇଁ କାହିଁ କେତେ ବାଟ ଅତିକ୍ରମ କରି ବିଭିନ୍ନ ଶୈବପୀଠରେ ପହଞ୍ଚିଛନ୍ତି କାଉଡ଼ିଆ । ଦେବ ଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି ହଜାର ହଜାର କାଉଡ଼ିଆ । ଏଥିପାଇଁ ବଡି ଭୋରରୁ ଲୋକାରଣ୍ୟ ହୋଇଛି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶୈବ ପୀଠ । ଖୋର୍ଦ୍ଧା ଗୁରୁଜଙ୍ଗର ଧବଳେଶ୍ବର, ବାଘମାରି ହଟକେଶ୍ୱର ଦେବ,ବାଙ୍କୋଇ ତାରେଶ୍ୱର ଦେବ,ଗଁପୁରର ସୋମନାଥ ଦେବ,ଗୋଡା ଲୋକନାଥ ଦେବଙ୍କ ପବିତ୍ର ପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି ।
ତେବେ ବୋଲ ବମ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ଜଳାଭିଷେକ କରିପାରିବେ ଏବଂ ଦର୍ଶନ କରିପାରିବେ ସେଥିପାଇଁ ଜିଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହିନ୍ଦୁ ଧର୍ମ ମାନ୍ୟତା ଅନୁଯାୟୀ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ସୋମବାର ଦିନ ବ୍ରତ ପାଳନ କଲେ ତୁରନ୍ତ ଫଳ ପ୍ରାପ୍ତ ହୋଇଥାଏ । ବର୍ଷକ 12ମାସ ମଧ୍ୟରେ ଶ୍ରାବଣ ମାସ ପବିତ୍ର ମାସ । ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ । ଶ୍ରାବଣ ମାସରେ ବିଧି ବିଧାନ ଅନୁସାରେ ଭଗବାନ ଶିବଙ୍କୁ ପୂଜା କରାଯାଏ ।
ଏହା ମଧ୍ୟ ପଢନ୍ତୁ - ଶ୍ରାବଣ ମାସର ଶେଷ ସୋମବାର, ଜଳଲାଗି ପାଇଁ ନିଆରା ଢଙ୍ଗରେ କାଉଡିରେ ଜଳ ଉଠାଇଲେ କାଉଡିଆ